ତାଳଚେର: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ୪ ଦଫା ସମ୍ବଳିତ ଦାବିପତ୍ର ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣିରେ ପ୍ରଦାନ କରାଯାଇଛି। ଏହି ଦାବିଗୁଡ଼ିକ ମଧ୍ୟରେ ବଅଁରପାଳ ଠାରୁ ଗୋଡ଼ିବନ୍ଧ ଦେଇ କଣିହାଁ ପର୍ଯ୍ୟନ୍ତ ଛଅ/ଚାରି ତଥା ବାଇପାସ୍ ଦୁଇ ଥାକିଆ ରାସ୍ତା ନିର୍ମାଣ କରିବା, ଏମସିଏଲ ଅଞ୍ଚଳରେ ଅଫୁଟା ଟାଇମ ବୋମା ମିଳିବା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବା ଇତ୍ୟାଦି ଦାବି ରହିଛି।
ଅଭିଯୋଗ ମୁତାବକ, ତାଳଚେର ଉପଖଣ୍ଡରେ ବିକାଶ ହୋଇଥିଲେ ମଧ୍ୟ ଗମନାଗମନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଗତ କିଛି ବର୍ଷ ହେବ ଏନଟିପିସି, ଏମସିଏଲ, ଜେଆଇଟିପିଏଲର ଭାରି ଯାନ ସଂଖ୍ୟା ବୃଦ୍ଧି ପାଇଛି। ଫଳରେ ତାଳଚେର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୧୪୯/୫୩ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି। ଏଣୁ ଏହାର ମରାମତି ପାଇଁ ଦାବି କରାଯାଇଛି।
ସେହିଭଳି ତାଳଚେର ବିଧାୟକଙ୍କ ଅଫିସ ସମ୍ମୁଖରେ ଅଫୁଟା ବୋମା ମିଳିବା ପରେ ସହରରେ ଭୟର ବାତାବରଣ ଦେଖାଯାଇଛି। ଏହାର ତୁରନ୍ତ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି।
ଏଥିସହ ସର୍ବସାଧାରଣଙ୍କ ଗମନାଗମନ ସୁଗମ କରିବା ନିମନ୍ତେ କେନାଲ ରାସ୍ତାକୁ ଆବଶ୍ୟକ ନିରାପଦ ଶୈଳୀ ଅବଲମ୍ବନ କରି ସମ୍ପୂର୍ଣ୍ଣ କରାଯାଉ।
ସଡ଼କ ସୁରକ୍ଷା ହେଲ୍ପ ଲାଇନ ନମ୍ବର ରଖ୍ ଟ୍ରାଫିକ କଣ୍ଟ୍ରୋଲ ରୁମ୍ ସହିତ ଦୁର୍ଘଟଣା ପ୍ରବଣ ସ୍ଥାନ ନିରୂପଣ କରି ସତର୍କତା ସୂଚନା ସହିତ ଟ୍ରାଫିକ ପୋଲିସ ମୁତୟନ କରିବାକୁ ଦାବି କରାଯାଇଛି।
ଦାବି ପତ୍ର ପ୍ରଦାନ ବେଳେ ସଂଘ ସଭାପତି ଭୂପେନ ଥମ୍ବ, ସମ୍ପାଦକ ଦ୍ରୁମଦ ପ୍ରଧାନ, ଜିତେନ୍ଦ୍ର ମହାପାତ୍ର, ସରୋଜ ଧର, ଘଣ୍ଟପଡ଼ା ସରପଞ୍ଚ ସସ୍ମିତା ବିଶ୍ୱାଳ, ସମିତି ସଭ୍ୟ କରୁଣାକର ସାହୁ, ପ୍ରାକ୍ତନ କାଉନସିଲର ଜ୍ୟୋତି ରଞ୍ଜନ ଦାସ, ପ୍ରକାଶ ସାହୁ, ପୁଷ୍ପକ ସ୍ୱାଇଁ, ପୂର୍ବତନ ସରପଞ୍ଚ ସୁନୀଲ ବିଶ୍ବାଳ, ଦାଶରଥି ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l