ଅନୁଗୋଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠରେ ଶନିବାର ସ୍ୱତନ୍ତ୍ର ପ୍ରାଶାସନିକ ତତ୍ତ୍ଵାବଧାନରେ ମନ୍ଦିର ହୁଣ୍ଡି ଖୋଲାଯାଇଛି। ଏହି ପ୍ରକ୍ରିୟାରେ ୩,୧୨,୩୮୦ ଟଙ୍କା ସଂଗୃହୀତ ହୋଇଥିବା ସୂଚନା ମିଳିଛି।
ତାଳଚେର ଡେପୁଟି କଲେକ୍ଟର ଧର୍ମେନ୍ଦ୍ର କୁମାର ଶତପଥୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଟ୍ରଷ୍ଟ ବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ସିଂ, ମୁରଲୀଧର ସାହୁ, ଅରୁଣ କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ ଏବଂ ବରିଷ୍ଠ ରାଜସ୍ୱ ସହାୟକ ଧୂଳେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହି ହିସାବ ନିକାଶ ପ୍ରକ୍ରିୟା ତଦାରଖ କରିଥିଲେ।
ମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ଦାୟିତ୍ୱରେ ଥିବା କନେଷ୍ଟବଳ ସନ୍ତୋଷ ସାମଲ, ବିନୟ ମହାନ୍ତି, ବିକାଶ ପ୍ରଧାନଙ୍କ ସମେତ ମୋଟ ୧୨ ଜଣ କର୍ମଚାରୀ ଏହି ଗଣତି କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ। ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ହୁଣ୍ଡି ଅର୍ଥ ଗଣତି କରାଯାଇଥିଲା। ସଂଗୃହୀତ ଏହି ଅର୍ଥ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।











