ଆଠମଲ୍ଲିକ: ବଇଣ୍ଡା-ଆଠମଲ୍ଲିକ-କିଆକଟା ୬୨ ନମ୍ବର ରାଜ୍ୟ ରାଜପଥର ଝରଝରୀ ଘାଟି ଜଙ୍ଗଲରୁ ଗୁରୁବାର ଅପରାହ୍ନରେ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖବର ପାଇ ଆଠମଲ୍ଲିକ ଥାନା ଭାରପ୍ରାପ୍ତ ଅଧିକାରୀ ସୁମିତ୍ରା ପାତ୍ର ଓ ଠାକୁରଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ଦାଶ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଉଦ୍ଧାର କରିଥିବା ଜଣାଯାଇଛି। ମୃତ ଦେହ ଜବତ ପରେ ପୋଲିସ ତନାଘନା ଆରମ୍ଭ କରିଛି।
ପୋଲିସ ସୂଚନା ମୁତାବକ, ଠାକୁରଗଡ଼ ଥାନା ଆମ୍ବସରମୁଣ୍ଡା ଗ୍ରାମର ଜିତେନ୍ଦ୍ର ନାୟକଙ୍କ ଝିଅ କୁମୁଦିନୀ ନାୟକ (୩୨) ବିଳାସପୁର ଠାରେ ଥିବା ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ପାଇଁ ସେ ସେଠାରେ ଥିବା ଚିକିତ୍ସାଳୟରେ ଗତ ୩୦ ତାରିଖରେ ଭର୍ତ୍ତି ହୋଇଥିଲେ। ସେହି ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କୁ କମ୍ପାନୀ ଲୋକ ଆଣି ଆଠମଲ୍ଲିକ ଝରଝରୀ ଘାଟି ଜଙ୍ଗଲରେ ଫୋପାଡ଼ି ଦେଇଥିବା ଜଣାଯାଇଛି।
ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ପଠାଇଥିବା ବେଳେ କିଏ ଓ କାହିଁକି ତାଙ୍କୁ ଆଣି ଏଠାରେ ପକାଇଛି ସେ ନେଇ ତଦନ୍ତ ଆରମ୍ଭ କରିଛି।