ଆଠମଲ୍ଲିକ : ଉପଜିଲ୍ଲାପାଳଙ୍କ ମହାନତା। ସରକାରୀ କାମରେ ଯାଉଥିବା ବେଳେ ରାସ୍ତାରେ ଅସହାୟ ଅବସ୍ଥାରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଇଛନ୍ତି ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା।
ଶ୍ରୀ ସୁନା ଗୁରୁବାର ମାଧପୁରକୁ ଏକ ସରକାରୀ ଗସ୍ତରେ ଯାଇ ଫେରୁଥିବା ବେଳେ ଅପରାହ୍ନରେ ବଇଣ୍ଡା ଆଠମଲ୍ଲିକ କିଆକଟା ୬୨ ନମ୍ବର ରାଜ୍ୟ ରାଜପଥର ପୁରୁଣାମାଣତ୍ରୀ ପଞ୍ଚାୟତ ଓଡ଼ସିଙ୍ଗାର ଉତ୍ତଳା ବଡ଼ମାଳି (୬୪) ରାସ୍ତାକଡରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସେ ସେଠାରେ ଅଟକି ୧୦୮ ଜରୁରୀକାଳୀନ ସେବାଗାଡ଼ିକୁ ଡକାଇ ଉତ୍ତଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି। ପରେ ସେ ନିଜେ ମଧ୍ୟ ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ବୃଦ୍ଧା ଉତ୍ତଳାର ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ଆଲୋଚନା କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଗତ ୧୧ ତାରିଖରେ ମଧ୍ୟ ଉପଜିଲ୍ଲାପାଳ ଶ୍ରୀ ସୁନା ଠାକୁରଗଡ଼ ଗସ୍ତ ସମୟରେ ଜଣେ ବୃଦ୍ଧାଙ୍କୁ ବଇଣ୍ଡା ଆଠମଲ୍ଲିକ ୬୨ ନମ୍ବର ରାଜ୍ୟ ରାଜପଥ ର ଝରଝରୀ ଘାଟି ନିକଟରୁ ଗୁରୁତରଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିଲେ। ଉପଜିଲ୍ଲାପାଳ ଶ୍ରୀ ସୁନାଙ୍କ ଏହି ମହତ କାର୍ଯ୍ୟକୁ ସମସ୍ତେ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି।