ଅନୁଗୁଳ: ଅନୁଗୁଳ ଜିଲ୍ଲା ମା’ ହିଙ୍ଗୁଳା ପାଠାଗାରର ନିଜସ୍ବ ୱେବସଇଟ୍ କଳମଛୁଇଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଲୋକାର୍ପିତ ହୋଇଛି। ଉପଦେଷ୍ଟା ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲା ବେଳେ ସମ୍ପାଦକ ବିଭୂତିଭୂଷଣ ସ୍ବାଇଁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅତିଥିଭାବେ ଶିକ୍ଷାବିତ୍ ଜଗନ୍ ମୋହନ ଗଡନାୟକ, ଶିକ୍ଷାବିତ ଦୈତାରୀ ସାହୁ ଓ ଇଂ.ଧନେଶ୍ଵର ସାହୁ ପ୍ରମୁଖ ଯୋଗ ଦେଇ ପାଠାଗାରର ନିଜସ୍ବ ୱେବସାଇଟ୍କୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ “ସମାଜ ଗଠନରେ ପାଠାଗାରର ଭୂମିକା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ମଣିଷର ଜ୍ଞାନ ପରିସରକୁ ବୃଦ୍ଧି କରିଥାଏ ପୁସ୍ତକ । ଏକ ଉତ୍ତମ ପୁସ୍ତକ ହିଁ ସମାଜକୁ ସଠିକ୍ ମାର୍ଗଦର୍ଶନ କରିବା ସହ ସମାଜ ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଭଳିସ୍ଥଳେ ବର୍ତ୍ତମାନର ଡିଜିଟାଲଯୁଗରେ ପୁସ୍ତକ ପଠନର ଅଭ୍ୟାସ ଜନସାଧାରଣଙ୍କର କମିଯାଉଥିବା ବେଳେ ପାଠାଗାରର ନିଜସ୍ବ ୱେବସାଇଟ୍ ଛାତ୍ରଛାତ୍ରୀ ତଥା ସମାଜର ବିଭିନ୍ନବର୍ଗର ଜନସାଧାରଣଙ୍କୁ ପୁସ୍ତକ ସହ ଯୋଡ଼ିବାରେ ବିଶେଷ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଶିକ୍ଷା ଓ ସମାଜସେବାକ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ନାଗରିକ ଅନନ୍ତକୁମାର ସାହୁ, ପ୍ରଭାକର ପ୍ରଧାନ, ଅନୀଲକୁମାର ଦେହୁରୀ, ଜଗନ୍ ମୋହନ ଗଡନାୟକ, ଦୈତାରୀ ସାହୁ ଓ ଦିବାକର ବାରିକଙ୍କୁ ଅନୁଷ୍ଠାନପକ୍ଷରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ୱେବସାଇଟ୍ ଲୋକାର୍ପିତ
- Post published:January 29, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
