ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ଭଣ୍ଡାରୀମୁଣ୍ଡା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମୀଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଠାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି। ବୁଧବାର ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ତହସିଲଦାର ଯଶୋବନ୍ତ ଦେହୁରୀଙ୍କ ସହ ଭଣ୍ଡାରୀମୁଣ୍ଡା ଗ୍ରାମରେ ପହଞ୍ଚି ଏସବୁ କାର୍ଯ୍ୟ ତଦାରଖ କରିଛନ୍ତି।
ଏ ଅବସରରେ ସେ ଗାଁ ମୁଣ୍ଡରୁ ହୋଇଥିବା ଡ୍ରେନ କାର୍ଯ୍ୟ, ଏସଏଚଜି ସଭାଗୃହ କାର୍ଯ୍ୟ, ଅଙ୍ଗନବାଡି ବିଦ୍ୟାଳୟରେ ଭିତ୍ତିଭୂମି ପରଖିବା ସହ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ। ଗସ୍ତ ବେଳେ ସେ ବିଦ୍ୟାଳୟର ଗୋଟିଏ ପାର୍ଶ୍ଵରେ ପାଚେରୀ ନ ଥିବା ଦେଖିଥିଲେ। ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ପାଚେରୀ ନିର୍ମାଣ କରାଯିବାର ବ୍ୟବସ୍ଥା କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ଗସ୍ତ ବେଳେ ବ୍ଲକ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଆଶୁତୋଷ ଘଡେଇ ଉପସ୍ଥିତ ଥିଲେ।