ପୂର୍ତ୍ତ ବିଭାଗ ଓ ଠିକା ସଂସ୍ଥାର ମନମାନି: ରାସ୍ତା ନିର୍ମାଣରୁ ଦୁଇ ଗାଁକୁ ବାଦ ଦେବା ବିରୋଧରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

You are currently viewing ପୂର୍ତ୍ତ ବିଭାଗ ଓ ଠିକା ସଂସ୍ଥାର ମନମାନି: ରାସ୍ତା ନିର୍ମାଣରୁ ଦୁଇ ଗାଁକୁ ବାଦ ଦେବା ବିରୋଧରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକରେ ପୂର୍ତ୍ତ ବିଭାଗ ଓ ଠିକା ସଂସ୍ଥାର ମନମାନିକୁ ନେଇ ଜନଅସନ୍ତୋଷ ତେଜିବାରେ ଲାଗିଛି। ବରଡ଼ିହ ପଞ୍ଚାୟତର ବରୁଣଡିହ ଓ ସଲେଇ ଗ୍ରାମକୁ ରାସ୍ତା ନିର୍ମାଣ ପ୍ରକ୍ରିୟାରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଆଜି ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ପାଳଲହଡ଼ା ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ ଏବଂ ବରଡ଼ିହ ସରପଞ୍ଚ କପି ଦେହୁରୀଙ୍କ ନେତୃତ୍ୱରେ ଦୁଇ ଗ୍ରାମର ଶତାଧିକ ଅଧିବାସୀ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ତୁରନ୍ତ ଏହି ଦୁଇଟି ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟରେ ସାମିଲ କରାନଯାଏ, ତେବେ ଆଗାମୀ ଦିନରେ ଗ୍ରାମବାସୀମାନେ ପିଲାଛୁଆ ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ୨୦୨୩ ମସିହାରେ ନଗିରା ପଞ୍ଚାୟତର ସିବିଡ଼ା ଠାରୁ ବରଡ଼ିହ ପଞ୍ଚାୟତର ଖଡ଼କା ଓ କୁମ୍ଭାର ମାଟି ପର୍ଯ୍ୟନ୍ତ ଦୀର୍ଘ ୩୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ପ୍ରାୟ ୪୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ମୂଳ ପ୍ଲାନ ଏବଂ ଏଷ୍ଟିମେଟ୍ ଅନୁଯାୟୀ, ବରୁଣଡିହ ଓ ସଲେଇ ଗାଁ ଦେଇ ରାସ୍ତା ନିର୍ମାଣ ହେବାର କାର୍ଯ୍ୟାଦେଶ ରହିଥିଲା। ମାତ୍ର ବର୍ତ୍ତମାନ କାର୍ଯ୍ୟ ଚାଲୁଥିବା ସମୟରେ କୌଣସି ଅଜ୍ଞାତ କାରଣରୁ ଏହି ଦୁଇଟି ଗାଁକୁ ମୁଖ୍ୟ ରାସ୍ତା ନିର୍ମାଣରୁ ବାଦ ଦିଆଯାଇଛି।

କେବଳ ରାଜନୈତିକ ଅଭିସନ୍ଧି ରଖି ଏହି ଗ୍ରାମଗୁଡ଼ିକର ଶାଖା ରାସ୍ତାକୁ ନିର୍ମାଣ କରାଯାଉ ନାହିଁ ବୋଲି ଗ୍ରାମବାସୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ଏଭଳି ପାତରଅନ୍ତର ନୀତିକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Share

Leave a Reply