ଅନୁଗୁଳ: ଜିଲ୍ଲାରେ ଦ୍ରୁତ ଗତିରେ କାୟା ବିସ୍ତାର କରୁଛି କରୋନା । ସଂକ୍ରମଣର ଏହି ଦ୍ରୁତ ଗତିରେ ବ୍ରେକ୍ ଲଗାଇବା ପାଇଁ ଲକଡାଉନ୍ ଜାରି ହୋଇଛି। କରୋନାର ଭୟବହତା ସାଙ୍ଗକୁ କଟକଣା ସତ୍ତ୍ବେ ଅନେକ ଅମାନିଆ ଚେତୁ ନାହାନ୍ତି । ବାହାରେ ଘୂରାଫେରା କରିବା ସହିତ କୋଭିଡ୍ ଗାଇଡ୍ଲାଇନ୍ ଉଲଂଘନ କରୁଛନ୍ତି। ଦୋକାନ ଖୋଲି ସଂକ୍ରମଣ ରାସ୍ତାକୁ ମୁକୁଳା କରୁଛନ୍ତି। ଏହି ଅମାନିଆଙ୍କୁ ସାବାଡ୍ କରିବା ପାଇଁ ଜିଲ୍ଲା ପୁଲିସ୍ ପକ୍ଷରୁ ଜୋରଦାର ଧରପଗଡ଼ ଚାଲିଛି। ଲକଡାଉନ୍ ସମୟରେ ସକାଳେ ଓ ସନ୍ଧ୍ୟାରେ ଜିଲ୍ଲାର ୬୦ଟି ସ୍ଥାନରେ ପୁଲିସ୍ ମୁତୟନ କରାଯାଉଛି। ଏହାବ୍ୟତୀତ ପ୍ରତ୍ୟେକ ଥାନା ଇଲାକାରେ ପୁଲିସ୍ ପାଟ୍ରୋଲିଂ ଜାରି ରହିଛି। ଶନିବାର ପର୍ଯ୍ୟନ୍ତ ବିବାହ, ଯାତ୍ରା ଓ ବିଭିନ୍ନ ଦୋକାନରେ ସାମାଜିକ ଦୂରତ୍ନ ଉଲଂଘନ ସହ ମାସ୍କ ନପିନ୍ଧିବା ଅଭିଯୋଗରେ ମୋଟ୍ ୭୪ ଲକ୍ଷ ୯୪ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ସେହିପରି ୧୨୧ଟି ଦୋକାନକୁ ସିଲ୍ କରାଯିବା ସହ ୫୨୯ଟି ଗାଡ଼ିକୁ ଜବତ କରାଯାଇଛି ବୋଲି ଜିଲ୍ଲା ପୁଲିସ୍ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ସଂକ୍ରମଣ ଭୟଙ୍କର ଭାବେ ବଢ଼ିଚାଲିଛି। କରୋନାରୁ ନିଜେ ବର୍ତ୍ତିବା ସହ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଯଥା ସମ୍ଭବ ଘରେ ରହିବାକୁ ପୁଲିସ୍ ପକ୍ଷରୁ କୁହାଯାଇଛି। ଜରୁରି କାମରେ ବାହାରକୁ ଆସିଲେ ସଠିକ୍ ଭାବେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତ୍ଵକୁ ବଜାୟ ରଖିବାକୁ ଜିଲ୍ଲା ପୁଲିସ୍ ପକ୍ଷରୁ ନିବେଦନ କରାଯାଇଛି ।
କରୋନା ଗାଇଡ୍ଲାଇନ୍ ଉଲଂଘନ, ୧୨୧ ଦୋକାନ ସିଲ୍, ୫୨୯ ଗାଡ଼ି ଜବତ
- Post published:May 15, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
