ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତ ପାଟଣା ସାହିରେ ଏକ ଭଡ଼ା ଘରୁ ଜଣେ ମହିଳା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ସୁବ୍ରତ ସାମଲଙ୍କ ସ୍ତ୍ରୀ ପାୟଲ ସାମଲ।
ସୂଚନା ମୁତାବକ, ସୁବ୍ରତ ୮ ବର୍ଷ ତଳେ ପାୟଲଙ୍କୁ ପ୍ରେମ ବିବାହ କରିଥିଲେ। ସୁବ୍ରତ ମେରାମଣ୍ଡଳି ଟାଟା ଷ୍ଟିଲ କାରଖାନା ଫିଟର ଭାବେ କାମ କରୁଛନ୍ତି। ସେ ବର୍ଷେ ହେଲା ପାଞ୍ଚ ବର୍ଷର ଝିଅ ସହିତ ସେହି ଭଡ଼ା ଘରେ ରହି ଆସୁଥିଲେ। ସୁବ୍ରତ ଅଧିକାଂଶ ଦିନ ମଦ୍ୟପାନ କରି ଫେରୁଥିଲେ। ଏଣୁ ପ୍ରାୟ ଘରେ ଝଗଡ଼ା ହେଉଥିଲା। ସୁବ୍ରତଙ୍କ କହିବା ମୁତାବକ, ସ୍ତ୍ରୀ ପାୟଲ ଫୋନରେ ପର ପୁରୁଷ ସହ କଥା ହୁଅନ୍ତି। ଆଜି ବି ଏହି କଥାକୁ ନେଇ ଦ୍ବିପ୍ରହରରେ ଖାଇ ସାରିବା ପରେ ସୁବ୍ରତ ଉତକ୍ଷିପ୍ତ ହୋଇ ପାୟଲକୁ ମୁହଁକୁ ମୁଥ ମାରିଥିଲେ। ପରେ ପାୟଲ ଅଚେତ୍ ହୋଇ ପଡ଼ିଯାଇଥିଲେ। ସୁବ୍ରତ ଡାକିବାରୁ ପାୟଲ ଉଠିନଥିଲେ ପାୟଲ ମରି ଯାଇଥିବା ଭାବି ଭୟଭୀତ ହୋଇ ସେ ଘର ମାଲିକକୁ ଜଣାଇଥିଲେ। ଘର ମାଲିକ ଥାନାକୁ ଜଣାଇବା ପରେ ବଅଁରପାଳ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପାୟଲକୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଅଭିଯୁକ୍ତ ସ୍ଵାମୀ ସୁବ୍ରତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।