ଅନୁଗୁଳ: ଜିଲ୍ଲାରେ କୋଭିଡ୍ ସ୍ଥିତି ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ରବିବାର ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସମୀକ୍ଷା କରିଛନ୍ତି। କୋଭିଡ ହସପିଟାଲର ସଠିକ୍ ପରିଚାଳନା ନିମନ୍ତେ ଆକ୍ରାନ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଖରେ ଖାଦ୍ୟ ଓ ପାଣି ଯୋଗାଇ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଆକ୍ରାନ୍ତମାନଙ୍କୁ ଆବଶ୍ୟକ କିଟ୍ ବ୍ୟାଗ୍ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଛି। କରୋନାରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଘରୁ ଡାକ୍ତରଖାନା ଆଣିବା ନିମନ୍ତେ ଆଂଚଳିକ ପରିବହନ ଅଧିକାରୀଙ୍କ ସହାୟତାରେ ଆବଶ୍ୟକ ଗାଡି ଯୋଗାଇ ଦେବାକୁ ଆଜି ନିଷ୍ପତ୍ତି ହୋଇଛି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ଅଭୟ ଦାଶ, ଅନୁଗୁଳ ଆଂଚଳିକ ପରିବହନ ଅଧିକାରୀ ବିଭାଭଞ୍ଜନ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଆଉ ଏକ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି ଜିଲ୍ଲାରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ଓ ଅଧିକାରୀମାନେ ସଦର ମହକୁମା ଛାଡି ପାରିବେ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସେମାନଙ୍କୁ କୋଭିଡ୍ ଡାକ୍ତରଖାନାକୁ ନେବା ଆଣିବା ନିମନ୍ତେ ଛେଣ୍ଡିପଦା ଓ ବଅଁରପାଳ ବ୍ଳକକୁ ୨ଟି ବୋଲେରୋ ଗାଡି ଦିଆଯାଇଛି । ସଂକ୍ରମିତଙ୍କ ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନା ଓ କୋଭିଡ୍ କେୟାର ସେଣ୍ଟରକୁ ଆବଶ୍ୟକ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି |
ସଦର ମହକୁମା ଛାଡ଼ିପାରିବେନି ସ୍ବାସ୍ଥ୍ୟକର୍ମୀ, ଅଧିକାରୀ
- Post published:May 3, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
