ଅନୁଗୁଳ : ଠକେଇ ଗ୍ୟାଙ୍ଗ୍ରେ ବାପ-ପୁଅ ମେଳି। ଚାକିରି ଦେବାକୁ କହି ଶିକ୍ଷିତ ବେକାର ଯୁବକଙ୍କୁ ଠକୁଥିଲେ । ଶତାଧିକ ଯୁବକଙ୍କୁ ଚାକିରି ନାଁ’ରେ ଚୂନ ଲଗାଇଛନ୍ତି। କାହାଠୁ ୪ ଲକ୍ଷ ତ ଆଉ କାହାଠୁ ୫ ଲକ୍ଷ ଟଙ୍କା ଠକିନେଇ ଧରାଛୁଆଁ ଦେଉନଥିଲେ। ଆଉ ଶେଷରେ ଏହି ଠକେଇ ଗ୍ୟାଙ୍ଗ୍ ତାଳଚେର କୋଲିୟରୀ ଥାନା ପୁଲିସ୍ ପଞ୍ଚାରେ ଲାଗିଛି। ଏହି ଗ୍ୟାଙ୍ଗ୍ରେ ଆଉ ଏକାଧିକ ଠକ ରହିଥିବା ବେଳେ ପୁଲିସ୍ ସେମାନଙ୍କୁ ଧରିବା ପାଇଁ ବେଶ୍ ସତର୍କତାର ସହ ତଦନ୍ତ ଚଳାଇଛି।ପୂର୍ବରୁ ନାଲ୍କୋର ଦୁଇ ଅଭିଯୁକ୍ତ ବାପପୁଅ ଯୋଡ଼ି, ପରମାନନ୍ଦ ବେହେରା ଓ ତାଙ୍କ ପୁଅ ପ୍ରୀତମ୍ ବେହେରାଙ୍କୁ ଗିରଫ କରିଥିଲା ପୁଲିସ୍ । ସୋମବାର ଏହି ଗ୍ୟାଙ୍ଗ୍ର ଆଉ ଦୁଇ ଜଣ ଠକଙ୍କୁ ପୁଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କାଣ୍ଡସର ଗ୍ରାମର ବିଜୟ କୁମାର ସାହୁ (୫୦) ଓ ତାଙ୍କ ପୁଅ ଝସକେତନ ସାହୁ(୨୭) । ଅଭିଯୁକ୍ତ ବିଜୟ ହିଁ ଠକେଇ ପଛର ମାଷ୍ଟର ମାଇଣ୍ଡ ହୋଇଥିବା ବେଳେ ଶିଳ୍ପନଗରୀରେ ଚାକିରି ନାଁ’ରେ ଠକେଇ ଗ୍ୟାଙ୍ଗ୍ର ଏହି ବାପ-ପୁଅ ମେଳି ଚର୍ଚ୍ଚାର ବିଷୟ ହୋଇଛି।ତାଳଚେର ବଡ଼ଦାଣ୍ଡ ସାହିର କାର୍ତିକ ରାଉତ (୪୦)ଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏହି ଠକେଇ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି। କାର୍ତ୍ତିକ ଇଲେକ୍ଟ୍ରିକାଲ୍ ଡିପ୍ଲୋମା କରିଥିଲେ ମଧ୍ୟ ବେକାର ହୋଇ ବସିଥିଲେ । ସେ ଚାକିରି ସନ୍ଧାନରେ ଥିଲେ। ଅଭିଯୁକ୍ତ ଝସକେତନ ଠାରୁ ପରମାନନ୍ଦଙ୍କୁ ଯୋଗାଯୋଗ କଲେ କାମାକ୍ଷାନଗର ସ୍ଥିତ ଓପିଟିସିଏଲ୍ରେ ଚାକିରି ମିଳିଯିବ ବୋଲି ଜାଣିବାକୁ ପାଇଥିଲେ । ତେଣୁ ସେ ପରମାନନ୍ଦଙ୍କ ସହ ଯୋଗାଯୋଗ କରିଥିଲେ । ପରେ ପରମାନନ୍ଦ ତାଙ୍କ ପୁଅ ପ୍ରୀତମ ସହିତ କଟକର ତାଙ୍କ କିଛି ସହଯୋଗୀଙ୍କ ସହ ମିଶି କାର୍ଭିକଙ୍କ ପାଖରେ ପହଞ୍ଚି ଚାକିରି ଦେବା ବାବଦକୁ ୫ ଲକ୍ଷ ଟଙ୍କା ଆଣିଥିଲେ। ଟଙ୍କା ଦେବାର ୫ ଦିନ ମଧ୍ୟରେ କାର୍ଭିକଙ୍କ ପାଖକୁ ମେଲରେ ନିଯୁକ୍ତି ପତ୍ର ଓ ଡ୍ୟୁଟି ଅର୍ଡର ଆସିଥିଲା। ମାତ୍ର ଯାଞ୍ଚ କରିବା ପରେ ଏହି ନିଯୁକ୍ତିପତ୍ର ଜାଲ୍ ବୋଲି ଜଣାପଡ଼ିଥିଲା। ଏହାପରଠୁ ସେମାନେ ଆଉ ଧରଛୁଆଁ ଦେଉ ନାହାନ୍ତି। ଚାକିରି ତ ଦେଲେନି, ନେଇଥିବା ୫ ଲକ୍ଷ ଟଙ୍କା ମଧ୍ୟ ଫେରାଇଲେ ନାହିଁ। ଫଳରେ କାର୍ତ୍ତିକ ଏନେଇ ପୁଲିସର ଦ୍ଵାରସ୍ଥ ହୋଇଥିଲେ।
ଚାକିରି ଦେବା ନାଁରେ ଠକେଇ ଘଟଣା,ପୁଲିସ୍ ପଞ୍ଝାରେ ମାଷ୍ଟର୍ମାଇଣ୍ଡ୍ ବାପ-ପୁଅ
- Post published:May 11, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
