ଅନୁଗୁଳ: ବଅଁରପାଳ ବ୍ଲକ୍ ତଥା ନାଲ୍କୋ ଥାନା କାଣ୍ଡସର ରୁଗୁଡ଼ିସାହିର ଶଙ୍କର ବେହେରାଙ୍କ ମଟର ସାଇକେଲ୍ (ଓଡ଼ି୩୫ବି-୮୬୩୫) ଚୋରି ଅଭିଯୋଗରେ ପୁଲିସ ଦୁଇ ଜଣ ଅଣଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ମଟର ସାଇକେଲ୍ ଉଦ୍ଧାର କରାଯାଇଥିବା ଭଡ଼ାଘର ତଲାସି ନେଇ ଏକ ଲାପଟପ୍, ଏକ ତଲୱାର,ଦୁଇଟି ପିସ୍ତଲ ପୁଲିସ ଜବତ କରିଥିବା ଜଣାପଡ଼ିଛି। ଦୁଇ ଅଭିଯୁକ୍ତ ପଞ୍ଜାବର ରିଙ୍କୁ ଖାନ୍ ଓ ସରଜିତ୍ ସିଂହ ବୋଲି ଜଣାଯାଇଛି । ପୁଲିସ ସୂତ୍ରରୁ ମିଳିଥିବା ଅନୁଯାୟୀ, ଉଭୟ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଅଞ୍ଚଳର ଏକ କାରଖାନାରେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରୁଥିଲେ। କାରଖାନାରେ ଚୋରି କରିବାରୁ ସେମାନଙ୍କୁ ସେଠାରୁ ତଡ଼ି ଦେଇଥିଲେ କାରଖାନା କର୍ତ୍ତୃପକ୍ଷ। ଉଭୟ ପୀତାବଳି ଠାକୁରାଣୀ ପୀଠ ନିକଟରେ ଘରଭଡ଼ା ନେଇ ରହୁଥିଲେ। ଦୁଇ ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଶଙ୍କର ତାଙ୍କ ମଟର ସାଇକେଲ୍ ଘର ବାରଣ୍ଡାରେ ରଖିଥିଲେ ହେଁ ଗତକାଲି ସକାଳେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଆଖପାଖରେ ଖୋଜାଖୋଜି କରି ନିରାଶ ହେବା ପରେ ସେ ନାଲ୍କୋନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଶଙ୍କରଙ୍କ ଘରେ ଖଞ୍ଜା ହୋଇଥିବା ସିସିଟିଭି ଫୁଟେଜ ଯାଞ୍ଚ ଚଳାଇଥିଲା। ଉଭୟ ଏକ ଗ୍ୟାରେଜ୍ରେ ଗାଡ଼ିଟିକୁ ନେଇ ଷ୍ଟିକର ଛଡ଼ାଇବା ବେଳେ ଗ୍ୟାରେଜ ମାଲିକ ଏ ସମ୍ବନ୍ଧରେ ଥାନାକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଦୁଇ ଯୁବକଙ୍କୁ କାବୁ କରିବା ସହ ଶଙ୍କରକୁ ଘଟଣାସ୍ଥଳକୁ ଡକାଇ ଗାଡ଼ି ଚିହ୍ନଟ କରିଥିଲା। ପୁଲିସ ଅଧିକ ତଦନ୍ତ କରି ଉଭୟ ଯୁବକଙ୍କ ଭଡ଼ାଘରୁ ଲାପଟପ୍ ଓ ମାରଣାସ୍ତ୍ର ଜବତ କରିଥିଲା। ରିଙ୍କୁ ଖାନ୍ ଓ ସରଜିତ୍ ପୂର୍ବରୁ କାମ କରୁଥିବା କାରଖାନାର ଅନ୍ୟ ୪ ଜଣ ଯୁବକଙ୍କୁ ଥାନାକୁ ଡକାଇ ପଚରାଉଚୁରା କରିବା ପରେ ଛାଡ଼ିଦେଇଥିଲା।
ବାଇକ୍ ଚୋରି କରି ଦୁଇ ଗିରଫ, ଶିଳ୍ପସଂସ୍ଥାରେ ଥିଲେ ସୁରକ୍ଷାକର୍ମୀ, ତଡ଼ା ଖାଇଥିଲେ
- Post published:May 10, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
