ଅନୁଗୁଳ: ୨୦୧୮ ମସିହାରେ ରାଜ୍ୟ ଜଙ୍ଗଲ ତଥା ବନ୍ୟପ୍ରାଣୀ ବିଭାଗ, ଏନଟିସିଏ (ନ୍ୟାସ୍ନାଲ୍ ଟାଇଗର କନଜରଭେସନ୍ ଏଜେନ୍ସୀ) ଏବ˚ ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମ କ୍ରମେ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ, ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ଯୋଜନା। ହେଲେ, ମାତ୍ର ବର୍ଷ ଦୁଇଟାରେ ପ୍ରକଳ୍ପ ସମ୍ପୂର୍ଣ୍ଣ ବିଫଳ। ପ୍ରକଳ୍ପ ଯେ ପୁଣି ଆରମ୍ଭ ହେବ ସେ ଆଶା କ୍ଷୀଣ। ଅନ୍ଧକାର, ଅନିଶ୍ଚିତତା ମଧ୍ୟରେ ପ୍ରକଳ୍ପର ଭବିଷ୍ୟତ। ନାଟକର ଶେଷ ଦୃଶ୍ୟରେ କ’ଣ ରହିବ ସେଥିନେଇ ଏନଟିସିଏର ନିର୍ଦ୍ଦେଶନାମାକୁ କେବଳ ପ୍ରତୀକ୍ଷା।
ଅନୁଗୁଳର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ମହାବଳ ବ˚ଶ ବୃଦ୍ଧି କରିବା, ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଏବ˚ ସ୍ଥାନୀୟ ଅଧିବାସୀମାନଙ୍କ ଜୀବନଜୀବିକାର ବିକାଶକୁ ଆଖିଆଗରେ ରଖି ଏହି ଅଭିନବ ପ୍ରକଳ୍ପ ଆରମ୍ଭ ହୋଇଥିଲା।
୨୦୧୮ ଜୁନ୍ ୨୮ ତାରିଖରେ ବାନ୍ଧବଗଡ଼ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ୨୭ ମାସର ବାଘୁଣୀ ‘ସୁନ୍ଦରୀ’କୁ ଅଣାଯାଇ ଏଠାରେ ରଖାଯାଇଥିଲା। ଏହାର ଏକ ସପ୍ତାହ ପୁର୍ବରୁ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ‘ମହାବୀର’ ନାମକ ଅଣ୍ଡିରା ମହାବଳ ସାତକୋଶିଆ ଅଣା ଯାଇଥିଲା। ୩ ଯୋଡ଼ା ବାଘ ଅଣାଯାଇ ବ˚ଶବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଟାଏ ଯୋଡ଼ା- ମହାବୀର ଓ ସୁନ୍ଦରୀ ସାତକୋଶିଆ ଶୋଭା ବର୍ଦ୍ଧନ କରିଥିଲେ। ପ୍ରାୟ ୨୩ କୋଟି ଟଙ୍କା ଏଥିପାଇଁ ବ୍ୟୟବରାଦ ହୋଇଥିଲା। କିନ୍ତୁ ସେତେବେଳର ଆର୍ସିସିଏଫ୍ ଏବ˚ ଡିଏଫ୍ଓଙ୍କ ଦୂରଦୃଷ୍ଟି ହୀନତା ଅଭିସନ୍ଧିପୂର୍ଣ୍ଣ କାର୍ଯ୍ୟକଳାପ ଯୋଗୁଁ ଆରମ୍ଭରୁ ହିଁ ପ୍ରକଳ୍ପକୁ ବଳ ମିଳିନଥିଲା। ମଧ୍ଯପ୍ରଦେଶ, ଛତିଶଗଡ଼ ଏବ˚ ଓଡ଼ିଶାର ଜଙ୍ଗଲ ଏବ˚ ଜୈବ ବିବିଧତା ସମ୍ପୂର୍ଣ୍ଣ ଅଲଗା। ସେଠାରେ ଗାଈଗୋରୁ ବନ୍ୟପ୍ରାଣୀଙ୍କ ଦ୍ବାରା ମୃତାହତ ହେଲେ କ୍ଷତିପୂରଣର ପରିମାଣ ଅଧିକ। ସେଠିକାର ଜଙ୍ଗଲ ମଧ୍ୟରେ ଜନବସତି ନାହିଁ। ଏଠାରେ କିନ୍ତୁ ପରିସ୍ଥିତି ଭିନ୍ନ। ଜଙ୍ଗଲ ମଧ୍ୟରେ ଜନବସତି ରହିଛି।
ତେଣୁ ଏସବୁ ତୁଳନାତ୍ମକ ଦିଗ ପ୍ରତି ଧ୍ୟାନ ଦେବା ସହ ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ, ସହଯୋଗରେ ପ୍ରକଳ୍ପ ହେବା କଥା। କିନ୍ତୁ ତଥାକଥିତ ଏହି ଅଫିସରମାନେ କାହିଁକି ଲୋକ, ସ୍ଥାନୀୟ ଜନପ୍ରତିନିଧି ଏବ˚ ମିଡିଆ ସମସ୍ତଙ୍କୁ ଅଣଦେଖା କଲେ। ସୁନ୍ଦରୀ ହାତରେ ୨ ଜଣଙ୍କ ଜୀବନ ଯିବା ପରେ ପରିସ୍ଥିତି ଅଣାୟତ ହେଲା। ତାଲିମ୍ପ୍ରାପ୍ତ କର୍ମଚାରୀଙ୍କ ଅଭାବ ଏବ˚ ନିମ୍ନମାନର ଉପକରଣ ହେତୁ ସୁନ୍ଦରୀ ଏବ˚ ମହାବୀରର ଉପସ୍ଥିତି ଠିକ୍ ଭାବେ ଟ୍ରାକି˚ ହୋଇପାରିଲା ନାହିଁ। ଶିକାରୀ ଫାଶରୁ ମହାବୀର ମରିଥିବା ଅଧିକ ବିଶ୍ବାସ କରାଯାଉଥିବା ବେଳେ ଝିଙ୍କ ଆଘାତରେ ମହାବୀର ମରିଥିବା କହି ବନ ବିଭାଗର ଅପାରଗତାକୁ ଚପାଇ ଦିଆଗଲା।
ମଧ୍ଯପ୍ରଦେଶରେ ଥିବା ବାଘଗୁଡ଼ିକର ଶିକାର ଦକ୍ଷତା କମ୍ କାରଣରୁ ସେମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଏ। ସୁନ୍ଦରୀର ମାଆ ନରଖାଦକ ହୋଇଥିବା କୁହାଯାଉଥିବା ବେଳେ ତାର କିନ୍ତୁ ଶିକାର ଗତ ଦକ୍ଷତା ନଥିଲା। ଏଭଳି ସ୍ଥଳେ ସୁନ୍ଦରୀର ରକ୍ଷଣାବେକ୍ଷଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାକୁ ସୀମିତ ଅ˚ଚଳରେ ବନ୍ଦୀ କରି ରଖାଯାଇଛି। ଇତିମଧ୍ୟରେ ରାଜ୍ୟ ସରକାର ସୁନ୍ଦରୀକୁ ଫେରାଇ ଦେବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି। ହେଲେ ସେମାନେ ନେବାକୁ ମନା କରିଦେଇଛନ୍ତି। ଏଣେ ଏନ୍ଟିସିଏ ଖର୍ଚ୍ଚ କାଟ କରିଥିବାରୁ ପ୍ରକଳ୍ପରେ ନିୟୋଜିତ ୱାଚରମାନଙ୍କୁ ଛଟେଇ କରାଗଲାଣି। ଶେଷରେ ଏନ୍ଟିସିଏର ନିର୍ଦ୍ଦେଶନାମାକୁ ବନ ବିଭାଗ ଅପେକ୍ଷା କରିଛି। ଏନ୍ଟିସିଏର ନିର୍ଦ୍ଦେଶନାମା ସ୍ଥିର କରିବ ସୁନ୍ଦରୀ ଥଇଥାନ ପ୍ରସଙ୍ଗର ଭବିଷ୍ୟତ କ’ଣ ହେବ।