ଅନୁଗୁଳ: କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବାକୁ ପିଲାଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି। ନୂତନ ଭାବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଠାରେ ସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ ପାଇଁ ଚଳିତବର୍ଷ ପ୍ରଥମଥର ୧ମ ରୁ ୫ମ ପର୍ଯ୍ୟନ୍ତ ସମୁଦାୟ ୪୨୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।
ଗତ ଜୁନ ୨ ରୁ ୧୬ ପର୍ଯ୍ୟନ୍ତ ଆଠମଲ୍ଲିକ ମହାବିଦ୍ୟାଳୟ ଠାରେ ଅସ୍ଥାୟୀ ଭାବେ ଖୋଲିଥିବା କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଫର୍ମ ପ୍ରଦାନ କରାଯାଇଥିଲା। ବିଭିନ୍ନ ଶ୍ରେଣୀ ପାଇଁ ମୋଟ ୫୪୭ ଜଣ ଛାତ୍ରଛାତ୍ରୀ ଫର୍ମ ନେଇଥିଲେ। ସୋମବାର ଆବେଦନର ଶେଷ ତାରିଖ ଥିବା ବେଳେ ସେଥିରୁ ୪୨୯ ଜଣ ଆବେଦନ ଫର୍ମ ପ୍ରଦାନ କରିଥିବା ଜଣାଯାଇଛି। ୧ମ ଶ୍ରେଣୀ ପାଇଁ ୧୨୨ ଜଣ, ୨ୟ ଶ୍ରେଣୀ ପାଇଁ ୧୦୬, ୩ୟ ଶ୍ରେଣୀ ପାଇଁ ୮୭, ୪ର୍ଥ ଶ୍ରେଣୀ ପାଇଁ ୩୯ ଓ ୫ମ ଶ୍ରେଣୀ ପାଇଁ ୭୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦିବେଶ କୁମାର ବାରିକ ସୂଚନା ଦେଇଛନ୍ତି।