ସାଇବର ଠକକୁ ଚକ୍‌ମା

୩ ଲକ୍ଷ ଫେରିପାଇଲେ ଅନୁଗୁଳର ବସନ୍ତ

0

ଅନୁଗୁଳ: ଟାୱାର ବସାଇବା ନାଁରେ ଅନୁଗୁଳର ଜଣେ ବ୍ୟକ୍ତିଙ୍କୁ ୩.୫ ଲକ୍ଷ ଟଙ୍କା ଲୁଟିଥିଲେ ସାଇବର ଠକ। କମିଶନରେଟ୍ ପୁଲିସର ସାଇବର ହେଲ୍ପ ଡେସ୍କ ଡିଜିଟାଲ ଦୁନିଆରୁ ୩ ଲକ୍ଷ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି ।ଅନୁଗୁଳ ଖମାର ଥାନା ଅଞ୍ଚଳର ବସନ୍ତ ଛତର ଠକାମୀର ଶିକାର ହୋଇଥିଲେ । ଟଙ୍କା ଫେରି ପାଇବା ପରେ କମିଶନରେଟ୍ ପୁଲିସକୁ ସେ କୃତଜ୍ଞତା ଜଣାଇଛନ୍ତି । ଠକେଇରେ ୫ଜଣ ସାମିଲ ଥିବା ପୁଲିସ ଜାଣିବାକୁ ପାଇଛି । ସେମାନଙ୍କୁ ଧରିବାକୁ ଖମାର ଥାନା ସହାୟତାରେ ଜାଲ ବିଛା ଯାଇଛି। ପୂରା ଘଟଣାଟି ଏମିତି… । ଗତ ଜାନୁଆରୀ ୨୩ ତାରିଖରେ ବସନ୍ତଙ୍କ ପାଖକୁ ଜଣେ ଅଜଣା ବ୍ୟକ୍ତିଙ୍କ ଫୋନ୍ ଆସିଥିଲା । ବ୍ୟକ୍ତି ଜଣକ ନିଜକୁ ଏକ ମୋବାଇଲ କମ୍ପାନିର କର୍ମକର୍ତ୍ତା ବୋଲି ପରିଚୟ ଦେଇଥିଲା । ବସନ୍ତଙ୍କ ସହ ହିନ୍ଦୀ ଭାଷାରେ କଥା ହୋଇ ଏକ ମୋବାଇଲ କମ୍ପାନିର ଟାୱାର ବସାଇବାକୁ ପ୍ରସ୍ତାବ ଦେଲା । ବସନ୍ତଙ୍କ ରାସ୍ତାପାର୍ଶ ଜମିରେ ଏହି ଟାୱାର ବସିବ ଭଡ଼ା ବାବଦକୁ ମାସକୁ ୧୨ ହଜାର ଟଙ୍କା ଓ ଭଡ଼ା ବାଦ୍ ସିକ୍ୟୁରିଟି ବାବଦକୁ ୧୮ ହଜାର ୫୦୦ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏନେଇ ପ୍ରଥମେ ସାଢ଼େ ୩ ଲକ୍ଷ ଟଙ୍କା ଡିପୋଜିଟ କରିବାକୁ କହିଥିଲା ।ସାଇବର ଠକଙ୍କ ଚାଲ୍ ଭାବି ବସନ୍ତ ପ୍ରଥମେ ରାଜି ହୋଇନଥିଲେ । ଘଟଣା ପରଦିନ ଜଣେ ବ୍ୟକ୍ତି ଓଡ଼ିଆ ଭାଷାରେ କଥା ହେବା ସହ ତାଙ୍କୁ ଅନେକ ଥର ବୁଝାଇ ଥିଲା। ପରେ ଆହୁରି ୩ ଜଣ ବ୍ୟକ୍ତି ତାଙ୍କୁ ବୁଝାଇବା ସହ ମାସକୁ ୩୧ ହଜାର ଟଙ୍କା ରୋଜଗାରର ପ୍ରଲୋଭନ ଦେଖାଇଥିଲେ । ଶେଷରେ ରାଜି ହୋଇ ବସନ୍ତ ପର୍ଯ୍ୟାୟକ୍ରମେ ୩ ଲକ୍ଷ ୧୭ ହଜାର ଟଙ୍କା ସେମାନଙ୍କୁ ପୈଠ କରି ଚାଲିଲେ । ଫେବ୍ରୁଆରୀ ୧୨ ତାରିଖରେ ସେ ଫୋନ୍ ପେ’ ଆକାଉଣ୍ଟରୁ ଶେଷଥର ପାଇଁ ୨୫ ହଜାର ଟଙ୍କା ସାଇବର ଠକର ଏହି ଗ୍ୟାଙ୍ଗକୁ ଦେଇଥିଲେ ।ପ୍ରତିଶ୍ରୁତି ମୁତାବକ, ଚୁକ୍ତିନାମା ବାବଦକୁ କାଗଜପତ୍ର ନ ଦେବାରୁ ବସନ୍ତଙ୍କ ସନ୍ଦେହ ଉପୁଜିଥିଲା । ଗତ ୧୩ ତାରିଖରେ ଏନେଇ ସାଇବର ହେଲ୍ପ ଡେସ୍କର ସହାୟତା ମାଗିଥିଲେ । ଅନ୍ୟ ଜିଲ୍ଲାର ହୋଇଥିବା ସତ୍ତ୍ୱେ ଠକାମୀର ଗୁରୁତ୍ଵକୁ ବୁଝି ହେଲ୍‌ପ ଡେସ୍କ ପକ୍ଷରୁ ସହାୟତା କରାଯାଇଥିଲା । ପ୍ରଥମେ ଫୋନ୍ ପେ’ ଅଫିସକୁ ଟଙ୍କା ବ୍ଳକ କରିବାକୁ ନିବେଦନ କରାଗଲା । ପରେ ଠକେଇ ଟଙ୍କା ପୈଠ ହୋଇଥିବା ଆକ୍ସିସ୍ ବ୍ୟାଙ୍କ କର୍ମକର୍ତ୍ତା ସହ ଯୋଗାଯୋଗ କରାଯାଇଥିଲା । ନିବେଦନର ୧୧ ଦିନ ପରେ ଆଜି ୩ ଲକ୍ଷ ଟଙ୍କା ବସନ୍ତଙ୍କ ଆକାଉଣ୍ଟକୁ ଫେରିଆସିଛି । ବସନ୍ତ ଏନେଇ ଖମାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବ୍ୟାଙ୍କ ଆକାଉଣ୍ଟ ଥିବା ବ୍ୟକ୍ତିଙ୍କ ଜରିଆରେ ସାଇବର ଠକଙ୍କୁ ଧରିବାକୁ ପୁଲିସ ଚେଷ୍ଟା କରୁଛି।

Leave A Reply

Your email address will not be published.

error: Content is protected !!