ଅନୁଗୁଳ: ସଫଳତା ପାଇଁ ଦଶନ୍ଧି ପୁରୁଣା ହେବା ଦରକାର ନାହିଁ। ନିଷ୍ଠା, ପରିଶ୍ରମ ଓ ସଠିକ୍ ଦିଗଦର୍ଶନ ଥିଲେ ଦୁଇ ବର୍ଷର ଅନୁଷ୍ଠାନ ବି ଇତିହାସ ରଚିପାରେ। ଏହାକୁ ପ୍ରମାଣ କରି ଦେଖାଇଛି ମୈତ୍ରୀନଗରସ୍ଥିତ କୌଟିଲ୍ୟ ଏକାଡେମୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷାରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୨୦୨୫-୨୬ ଶିକ୍ଷାବର୍ଷରେ ଏଠାରେ ଦଶମ ଶ୍ରେଣୀରେ ୩୦ ଜଣ ପିଲା ପଢୁଥିଲେ। ଆୟୁଷ୍ମାନ ପାଟ୍ଟଯୋଶୀ ୯୬.୮% ମାର୍କ ରଖି ଅନୁଷ୍ଠାନ ଟପ୍ପର୍ ହୋଇଛନ୍ତି। ତାଙ୍କ ପଛକୁ ଅଂଶୁପ୍ରଭା ପ୍ରହରାଜ ୯୬.୪% ସହ ଦ୍ୱିତୀୟ ଓ ଆୟୁଷ କୁମାର ସାହୁ ୯୬.୨% ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
କେବଳ ଟପ୍ପର୍ ନୁହଁନ୍ତି, ସାମୂହିକ ସଫଳତା ବି ଈର୍ଷଣୀୟ। ସଂସ୍କୃତ ବିଷୟରେ ୪ ଜଣ ଛାତ୍ରଛାତ୍ରୀ ୧୦୦ରୁ ୧୦୦ ମାର୍କ ରଖି ସମସ୍ତଙ୍କୁ ଚକିତ କରିଛନ୍ତି। ମୋଟ ୬ ଜଣ ଛାତ୍ରଛାତ୍ରୀ ୯୫% ରୁ ଅଧିକ ଓ ୧୩ ଜଣ ୯୦% ରୁ ଅଧିକ ଅଙ୍କ ପ୍ରାପ୍ତ କରିଛନ୍ତି। ଏହି ସଫଳତା ନେଇ ଅନୁଷ୍ଠାନର ମୁଖ୍ୟ ରଞ୍ଜନ କୁମାର ପ୍ରଧାନ କହିଛନ୍ତି, ‘ଆମେ ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ ବିକାଶକୁ ଗୁରୁତ୍ୱ ଦେଉ। ଏହି ସଫଳତା ଆମ ଅନୁଷ୍ଠାନର ଦ୍ୱିତୀୟ ବର୍ଷରେ ଆମେ ଅର୍ଜନ କରିପାରିଛୁ’। ସେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ମାତ୍ର ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା କୌଟିଲ୍ୟ ଏକାଡେମୀ ଆଜିର ଫଳାଫଳ ପରେ ଅନୁଗୁଳ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂସ୍କୃତ ଭଳି ପାରମ୍ପରିକ ବିଷୟରେ ୪ ଜଣଙ୍କ ଶତକ ଅନୁଷ୍ଠାନର ଶିକ୍ଷାଦାନ ପଦ୍ଧତିର ମାନକୁ ଦର୍ଶାଉଛି।











