ଅନୁଗୁଳ : ମାରାତ୍ମକ ରୋଗ ଡେଙ୍ଗୁର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଅଣ୍ଟା ଭିଡ଼ିଛି। ଜୁଲାଇ ମାସକୁ ଡେଙ୍ଗୁ ସଚେତନତା ମାସ ଭାବେ ପାଳନ କରାଯାଏ। ଏହି ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଡେଙ୍ଗୁ ନିରୋଧ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରର ଏନଏଚ୍ଏମ୍ ପ୍ରଶିକ୍ଷଣ ଗୃହରେ ଆୟୋଜିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଡେଙ୍ଗୁ ଓ ମ୍ୟାଲେରିଆକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବର୍ଷାଦିନେ ଡେଙ୍ଗୁ ବାହାକ ଏଡିସ୍ ମଶାଙ୍କ ପ୍ରାଦୁର୍ଭାବ ଅଧିକ। ଏଡିସ୍ ମଶା କାମୁଡିଲେ ଡେଙ୍ଗୁ ରୋଗ ହୋଇଥାଏ । ଜ୍ଵର ସହିତ ଭୀଷଣ ହାତଗଣ୍ଠି ବିନ୍ଧା, ଦେହରେ ଲାଲ୍ଦାଗ ଦେଖାଗଲେ ଡେଙ୍ଗୁ ପରୀକ୍ଷା କରିବାକୁ ସିଡିଏମ୍ଓ ପରାମର୍ଶ ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଡେଙ୍ଗୁ ପରୀକ୍ଷା ଉପଲବ୍ଧ ହେଉଛି। ଡେଙ୍ଗୁ ରୋଗର ନିରାକରଣ ପାଇଁ କୌଣସି ଖାଲୁଆ ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁ ନାହିଁ । ସେହିପରି ପାଣି ଟାଙ୍କି, ରୁମ୍ କୁଲର, ପଇଡ ଖୋଳ, ଟାୟାର ନିୟମିତ ସଫା କରିବାକୁ ସଚେତନ କରାଯାଇଛି । ମଶାରି ଟାଣି ଶୋଇବା ସହିତ ଘରର ଚତୁଃପାର୍ଶ୍ଵ ସଫାସୁତୁରା ରଖିବା, ଡ୍ରେନ୍ ଓ ବୁଦାକୁ ନିୟମିତ ସଫା କରିବାକୁ ପରାମର୍ଶ ଦିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଭେକ୍ଟର ବାହିତ ଅଧିକାରିଣୀ ଡାକ୍ତର ପୂର୍ଣ୍ଣିମା ଉଦ୍ଗାତା, ଜିଲ୍ଲା ଭେକ୍ଟର ବାହିତ ପରାମର୍ଶଦାତା ନିରୁପମା ଦାସଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
ଡେଙ୍ଗୁ ନିରୋଧ ସଚେତନତା କାର୍ଯ୍ୟକ୍ରମ
- Post published:July 15, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
