ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ କୁଲାଡ଼ ଠାରେ ଥିବା ଫ୍ଲିପକାର୍ଟ ହବରୁ ଗତ ଅକ୍ଟୋବର ୧୩ ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହ ବ୍ୟବହୃତ ମାରଣାସ୍ତ୍ର, ୨ ବାଇକ, ଚୋରି ମୋବାଇଲ ଓ ୭୦ ହଜାର ଟଙ୍କା ଜବତ କରିଛି।
ଡକାୟତି ଘଟଣାରେ ସଂପୃକ୍ତ ଦୁର୍ବୃତ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ଗୁଣ୍ଡିଚାପଡା ଥାନା କାଣ୍ଡବିନ୍ଧା ଗାଁର ରାଜେଶ ପରିଡା (୨୨), ପରଜଙ୍ଗ ଥାନା ଜଟିଆ ଗାଁର ସତ୍ୟଜିତ୍ ନାଏକ (୨୪), ପରଜଙ୍ଗ ଥାନା ସରାଙ୍ଗ ଗାଁର ସମ୍ବିତ କୁମାର ନାଏକ (୨୩), କଣ୍ଟାବଣିଆ ଥାନା କମଳାଙ୍ଗ ଗାଁର ରାଜେନ୍ଦ୍ର ନାଏକ (୨୧) ଏବଂ ମହାଜ୍ୟୋତି ନାଏକ। ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଅକ୍ଟୋବର ୧୩ ତାରିଖ ରାତି ସାଢ଼େ ଦଶଟା ବେଳକୁ ଫ୍ଲିପକାର୍ଟ ହବରେ ହିସାବ ଚାଲିଥିବା ବେଳେ ୩ ଜଣ ଦୁର୍ବୃତ୍ତ ମୁଖା, ହେଲମେଟ ପିନ୍ଧି ଅଫିସ ଭିତରକୁ ପଶି ଆସିଥିଲେ। କର୍ମଚାରୀଙ୍କୁ ଧାରୁଆ ଅସ୍ତ୍ର ଓ ବନ୍ଧୁକ ଦେଖାଇ ଭୟଭୀତ କରି ପ୍ରାୟ ୫ଲକ୍ଷ ଟଙ୍କା ସମେତ ଡେଲିଭରି ଦେବାକୁ ଥିବା ଗ୍ରାହକଙ୍କ କିଛି ସାମଗ୍ରୀ ଲୁଟ କରି ଖସିଯାଇଥିଲେ। ଏ ନେଇ ଫ୍ଲିପକାର୍ଟ ଅଫିସର କର୍ମଚାରୀ ଶ୍ରୀକାନ୍ତ ବେହେରା ନାଲକୋ ଥାନାରେ ଅଭିଯୋଗ କରିଥିଲେ। ନାଲକୋ ଥାନା କେସ୍ ନଂ ୨୦୩/15.10.2024 U / s-309 (6) BNS RW 25/27 ଆର୍ମସ୍ ଆକ୍ଟ U / S 333/310 (2) BNS rw 28 ଆର୍ମସ୍ ଆକ୍ଟକୁ ପରିଣତ କରି ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ପୋଲିସ ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି। ସେଥି ମଧ୍ୟରୁ ଜଣେ ଦୁର୍ବୃତ୍ତ ଚୋରି ଟଙ୍କାରେ ନିଜ ବିବାହ ମଧ୍ୟ ସାରି ଦେଇଥିବା ଜଣାଯାଇଛି।