ବାଜି ରାଉତ ଛାତ୍ରାବାସର ୭୯ ତମ ବାର୍ଷିକୋତ୍ସବ ଅନୁଷ୍ଠିତ

You are currently viewing ବାଜି ରାଉତ ଛାତ୍ରାବାସର ୭୯ ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ଅନୁଗୁଳ: ବାଜି ରାଉତ ଛାତ୍ରାବାସର ୭୯ତମ ବାର୍ଷିକୋତ୍ସବ ଶାନ୍ତି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସ୍ତମ୍ଭକାର ଡ ବାସନ୍ତୀ ମହାନ୍ତି ଯୋଗଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଲେଖକ ଦାସ ବେନହୁର କହିଲେ ଯେ, ବାଜି ରାଉତ ଛାତ୍ରାବାସ ହେଉଛି ଏକ ଅଭଙ୍ଗା ପକ୍ଷୀ ବସା । ଅଶୀବର୍ଷ ହେଲା ଶହଶହ ପିଲା ଏହି ବସାରେ ବାସ କରିଆସୁଛନ୍ତି ଓ ପର ଲାଗିଲା ପରେ  ଏଠାରୁ ଉଡି ଯାଇ ଦେଶ ନିର୍ମାଣରେ ଲାଗିପଡ଼ୁଛନ୍ତି । ଛାତ୍ରାବାସର ଏହି ଅବଦାନର ଉଲ୍ଲେଖ  ବିନା ଓଡିଶା ଇତିହାସ ଲେଖନ ସମ୍ଭବ ନୁହେଁ । ମାଳତୀ ଦେବୀ ଓ ନବକୃଷ୍ଣ ଚୌଧୁରୀ ମହାତ୍ମା ଗାନ୍ଧୀ ଓ କବିଗୁରୁ ରବୀନ୍ଦ୍ରନାଥଙ୍କ ଆଦର୍ଶର ସମ୍ମିଶ୍ରଣରେ ଏହି ଯେଉଁ ସଂଗଠନ ନିର୍ମାଣ କରିଛନ୍ତି, ତାହା ସମଗ୍ର ଭାରତରେ ଅନନ୍ୟ। ବରେଣ୍ୟ ଅତିଥି ଭାବରେ  ତାମିଲନାଡ଼ୁର ଗାନ୍ଧୀଗ୍ରାମ ଗ୍ରାମୀଣ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ଡିନ ପ୍ରଫେସର ଏଲ ରାଜା ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି, ଧରଣୀଧର ନାଥ, ଡ କୁଳମଣି ନାୟକ, ଶିବାନୀ ନାଏକ, ଶୁଭଶ୍ରୀ ବେହେରା, ଶକ୍ତି ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । 
ଛାତ୍ରାବାସର ସଭାପତି କବି ଶୈଳଜା ରବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ କବୀର କୁମାର ଜେନାଙ୍କୁ ଶହୀଦ ବାଜି ରାଉତ ସମ୍ମାନ -୨୦୨୫ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଛାତ୍ରାବାସର ଅନ୍ତେବାସୀମାନଙ୍କ ଦ୍ଵାରା ହାତଲେଖା ପତ୍ରିକା ‘ବାଜି’ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ସମ୍ପାଦକ ଇଂ ଧନେଶ୍ଵର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭା ପ୍ରାରମ୍ଭରେ ଡାକ୍ତର ବିଶ୍ଵଜିତ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ କବୟତ୍ରୀ ଇନ୍ଦିରା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ଅନ୍ତର୍ଯ୍ୟାମୀ ବରାଳ, ପରିଚାଳକ କୈଳାଶ ଚନ୍ଦ୍ର ସାହୁ, ଆଦ୍ୟଶ୍ଳୋକ ମିଶ୍ର, ସୂର୍ଯ୍ୟ ନାରାୟଣ ନାଥ, ସୁଜାତା ପ୍ରୀତିନନ୍ଦା ପ୍ରମୁଖ ପରିଚାଳନା କରିଥିଲେ । ସନ୍ଧ୍ୟାରେ ଗାନ୍ଧୀ କଥାକାର ନାରାୟଣ ଦେଶାଇ ରଚିତ ଓ ଜୟା ନାରାୟଣ ଦାସଙ୍କ ଅନୁଦିତ ବିଶ୍ଵାତ୍ମା ମହାତ୍ମା ଗୀତୀନାଟ୍ୟ ଛାତ୍ରାବାସର ଅନ୍ତେବାସୀମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା ।

Share

Leave a Reply