ବନ ବିଭାଗ ଆଖିରେ ଧୂଳି ଦେଇ ଚନ୍ଦନ ଗଛ କରିନେଲେ ତସ୍କର!

You are currently viewing ବନ ବିଭାଗ ଆଖିରେ ଧୂଳି ଦେଇ ଚନ୍ଦନ ଗଛ କରିନେଲେ ତସ୍କର!

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଚନ୍ଦନ ତସ୍କର ଓ କାଠ ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ବଅଁରପାଳ ବ୍ଲକ ମହୀଧରପୁର ଗ୍ରାମର ସଞ୍ଜୟ ସାହୁଙ୍କ ପୋଖରୀ ହୁଡ଼ାରେ ଥିବା ଏକ ବହୁ ପୁରାତନ ମୂଲ୍ୟବାନ ଚନ୍ଦନ ଗଛକୁ ଗତ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଅତ୍ୟାଧୁନିକ କରତ ସାହାଯ୍ୟରେ ମୂଳରୁ କାଟି ଚୋରି କରି ନେଇଛନ୍ତି। ରାତି ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ ବନ ବିଭାଗର ପାଟ୍ରୋଲିଙ୍ଗ ଗାଡ଼ି ଆସୁଥିବା ଦେଖି ତସ୍କରମାନେ ଗଛଟିକୁ ଗାଡ଼ିରେ ବୋଝେଇ କରି ଚମ୍ପଟ ମାରିଥିଲେ। ହେଲେ ବନ ବିଭାଗ ଏହାର ସାମାନ୍ୟ ସୁରାକ ସୁଦ୍ଧା ପାଇପାରି ନଥିଲା।

ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ଛାଡ଼ି ଯାଇଥିବା ଗଛର ଅବଶିଷ୍ଟାଂଶ ଓ ମୂଳକୁ ଜବତ କରି ବନ୍ତଳା ବନ ବିଭାଗ ତଦନ୍ତ ଚଳାଇଛି। ବନ ବିଭାଗର ଢିଲା ପାଟ୍ରୋଲିଂ ଯୋଗୁଁ ତସ୍କରମାନେ ଏଭଳି ସାହସ କରୁଥିବା ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଚୋରି ପଛରେ କୌଣସି ଆନ୍ତଃ-ଜିଲ୍ଲା ରାକେଟ୍‌ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ବନ ବିଭାଗ ଆଖପାଖ ଅଞ୍ଚଳର ସିସିଟିଭି (CCTV) ଫୁଟେଜ୍‌କୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ, ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ପାଇଁ ସ୍ଥାନୀୟ ବାସିନ୍ଦା ଦୃଢ଼ ଦାବି କରିଛନ୍ତି।

Share

Leave a Reply