ଡ୍ରେନ୍ ନିର୍ମାଣରେ ବଳି ପଡ଼ିଲା ଯୁବ ଶ୍ରମିକଙ୍କ ଜୀବନ, PWDର ତଦାରଖ ନେଇ ଉଠିଲା ସଙ୍ଗିନ ପ୍ରଶ୍ନ

You are currently viewing ଡ୍ରେନ୍ ନିର୍ମାଣରେ ବଳି ପଡ଼ିଲା ଯୁବ ଶ୍ରମିକଙ୍କ ଜୀବନ, PWDର ତଦାରଖ ନେଇ ଉଠିଲା ସଙ୍ଗିନ ପ୍ରଶ୍ନ
{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"square_fit":1},"edited_since_last_sticker_save":true,"containsFTESticker":false,"is_sticker":false}

ଅନୁଗୋଳ: ଡ୍ରେନ୍ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପୂର୍ତ୍ତ ବିଭାଗ (PWD)ର ଦାୟିତ୍ୱବୋଧ ଏବେ କାଠଗଡ଼ାରେ। ଅନୁଗୋଳ ସହରର ମିଶ୍ରପଡ଼ା ଛକ ନିକଟରେ ଡ୍ରେନ୍ ନିର୍ମାଣ ବେଳେ କାନ୍ଥ ଭୁଶୁଡ଼ି ଜଣେ ଯୁବ ଶ୍ରମିକଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଶ୍ରମିକ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ପରେ ଠିକାଦାରଙ୍କ ଭୂମିକା ଏବଂ ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଘଟଣାକୁ ଆହୁରି ସନ୍ଦେହଘେରକୁ ଟାଣି ନେଇଛି।
ମୃତ ଶ୍ରମିକ ଜଣକ ପାଳଲହଡ଼ା ଅଞ୍ଚଳର ସିକେନ ହେସକା (୧୮) ବୋଲି ଜଣାପଡ଼ିଛି।

ରବିବାର ମିଶ୍ରପଡ଼ା ଛକ ନିକଟରେ PWD ପକ୍ଷରୁ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ନିକଟରେ ଥିବା ଏକ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇଯାଇଥିଲେ। ଘଟଣାରେ ସିକେନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେକ ଶ୍ରମିକ ଆହତ ହୋଇଥିଲେ।

ତେବେ ଏହି ଦୁର୍ଘଟଣା ପରେ ଠିକାଦାରଙ୍କ କାର୍ଯ୍ୟକଳାପକୁ ନେଇ ନୂଆ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ଘଟଣା ଘଟିବା ପରେ ଠିକାଦାର ତୁରନ୍ତ ଘଟଣାସ୍ଥଳରୁ JCB ମେସିନ୍ ହଟାଇ ନେଇଥିଲେ। ଦୁର୍ଘଟଣାର କାରଣ ଓ ନିର୍ମାଣ କାର୍ଯ୍ୟରେ ମେସିନ୍‌ର ଭୂମିକା ସମ୍ପର୍କରେ ତଦନ୍ତ ପୂର୍ବରୁ ଏଭଳି ଭାବେ ଯନ୍ତ୍ରପାତି ହଟାଇବା ପଛର କାରଣ କ’ଣ, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ଘଟଣାରେ JCB ହଟାଇବା ସମ୍ପର୍କିତ ଅଭିଯୋଗର ମଧ୍ୟ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ।

ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଉଛି, ଏତେ ବଡ଼ ନିର୍ମାଣ କାର୍ଯ୍ୟ ଚାଲିଥିବା ସତ୍ତ୍ୱେ ଘଟଣାସ୍ଥଳରେ PWDର କୌଣସି ସୁପରଭାଇଜର, ଜେଇ କିମ୍ବା ଅନ୍ୟ କୌଣସି ସରକାରୀ ଅଧିକାରୀ ଉପସ୍ଥିତ ନଥିବା ଅଭିଯୋଗ ହୋଇଛି। ତେବେ କାହା ତଦାରଖରେ ଏହି କାର୍ଯ୍ୟ ଚାଲିଥିଲା? ଶ୍ରମିକଙ୍କ ସୁରକ୍ଷା ଦାୟିତ୍ୱ କାହାର ଥିଲା? ବିଭାଗୀୟ ଅଧିକାରୀମାନେ କାର୍ଯ୍ୟସ୍ଥଳ ପରିଦର୍ଶନ କରୁଥିଲେ କି ନାହିଁ? ରବିବାର ଛୁଟିଦିନରେ କେଉଁ ଅନୁମତି ଓ ତଦାରଖରେ କାମ ଚାଲିଥିଲା? ଏଭଳି ଅନେକ ପ୍ରଶ୍ନ ଏବେ PWD ବିଭାଗର କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି।

ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ କେବଳ ଦୁଃଖ ପ୍ରକାଶ କରିଦେଲେ ବିଭାଗର ଦାୟିତ୍ୱ ସରିଯିବ ନାହିଁ। ନିର୍ମାଣ କାର୍ଯ୍ୟରେ ସୁରକ୍ଷା ନିୟମ ପାଳନ ହୋଇଥିଲା କି ନାହିଁ, କାନ୍ଥ ଭୁଶୁଡ଼ିବାର ପ୍ରକୃତ କାରଣ କ’ଣ, ଦୁର୍ଘଟଣା ପରେ JCB କାହିଁକି ହଟାଯାଇଥିଲା ଏବଂ ବିଭାଗୀୟ ଅଧିକାରୀ କାହିଁକି ଅନୁପସ୍ଥିତ ଥିଲେ, ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ। ଏଥିସହ ଦୋଷୀ ଠିକାଦାର ଓ ଦାୟିତ୍ୱରେ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ମୃତ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।

Share

Leave a Reply