ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ମେନ୍ ଗେଟ୍ ସମ୍ମୁଖରେ ଏକ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ପଣ୍ଡୁଆ ଗ୍ରାମର ଶ୍ରୀଧର ନାଏକ। ସେ ନାଲକୋ ସ୍ମେଲଟର କାରଖାନାରେ କାର୍ଯ୍ୟରତ ଥିଲେ।
ସୂଚନା ମୁତାବକ, ଆଜି ସକାଳେ ଶ୍ରୀଧର ସାଇକେଲ ଯୋଗେ ସ୍ମେଲଟର କାରଖାନାକୁ ଯାଉଥିବା ବେଳେ ମେନ ଗେଟ୍ ସମ୍ମୁଖରେ ଅନୁଗୁଳରୁ ବଅଁରପାଳ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଟ୍ରକ(ଓଡି ୩୫ ଜି ୦୪୪୦) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।
ଧକ୍କା ଦେଇ ଟ୍ରକଟି ରହିଯିବା ଫଳରେ ସ୍ଥାନୀୟ ଲୋକେ ଉଭୟ ଟ୍ରକ ଓ ଡ୍ରାଇଭରକୁ କାବୁ କରିଥିଲେ। ଘଟଣାସ୍ଥଳରେ ନାଲକୋ ପୋଲିସ ଓ ନାଲକୋ ସୁରକ୍ଷା ଦାୟିତ୍ୱରେ ଥିବା ସି.ଆଇ.ଏସ.ଫ ଓ କରଣ ସିଂହ ସିକ୍ୟୁରିଟିର ଅଧିକାରୀ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।