ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ, ଦୈନିକ ଖବରକାଗଜରେ ପ୍ରତିନିଧି ଭାବେ କାର୍ଯ୍ୟରତ ସାମ୍ବାଦିକ ପ୍ରଫୁଲ୍ଲ କୁମାର ସିଂହଙ୍କୁ ସୁବ୍ରତ ନାଏକ ନିର୍ମମ ଭାବେ ଆକ୍ରମଣ କରିଥିବା ଘଟଣା ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ସୁବ୍ରତକୁ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନା ଅନୁସାରେ, ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ପ୍ରଫୁଲ୍ଲ କୁମାର ସିଂହ ଖବର ସଂଗ୍ରହ ସାରି ଆଖଣ୍ଡଳମଣି ଆଇଟିଆଇ ରାସ୍ତା ଦେଇ ନିଜ ଘରକୁ ବାଇକ୍ରେ ଫେରୁଥିବା ବେଳେ ଅଭିଯୁକ୍ତ ସୁବ୍ରତ ନାଏକ ହଠାତ୍ ପଛପଟୁ ତାଙ୍କ ମୁଣ୍ଡରେ ଠେଙ୍ଗାରେ ଆଘାତ କରିଥିଲେ। ଏହି ଅତର୍କିତ ଆକ୍ରମଣରେ ପ୍ରଫୁଲ୍ଲ ହଡ଼ବଡ଼େଇ ତଳେ ପଡ଼ିଯାଇଥିଲେ। ଏହାପରେ ସୁବ୍ରତ ଅମାନୁଷିକ ଭାବେ ତାଙ୍କ ହାତ ଓ ପିଠିରେ ବାରମ୍ବାର ଆଘାତ କରିବା ସହ ପ୍ରଫୁଲ୍ଲଙ୍କ ବାଇକ୍ର ମିଟର ଓ ଭାଇଜର ଭାଙ୍ଗି ନଷ୍ଟ କରିଦେଇଥିଲେ। ପ୍ରାଣ ବିକଳରେ ପ୍ରଫୁଲ୍ଲ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।
ଖବର ପାଇ ପ୍ରଫୁଲ୍ଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୁଣ୍ଡର ଆଘାତର ପ୍ରାଥମିକ ଚିକିତ୍ସା କରି ଅଧିକ ପରୀକ୍ଷା ଓ ବିଶେଷ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ପ୍ରଫୁଲ୍ଲଙ୍କ ସାନ ଭାଇ ଏହି ଘଟଣା ସମ୍ପର୍କରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ବଅଁରପାଳ ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଅଭିଯୁକ୍ତ ସୁବ୍ରତ ନାଏକକୁ ଗିରଫ କରାଯାଇ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟଚାଲାଣ କରାଯାଇଛି।
ଏହି ଘଟଣାକୁ ନେଇ ବଅଁରପାଳ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମ୍ବାଦିକମାନେ ଏହାକୁ ଗଣମାଧ୍ୟମ ଉପରେ ଆକ୍ରମଣ ଭାବେ ଦେଖି ଏହାର ତୀବ୍ର ନିନ୍ଦା କରିଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣା ଅଞ୍ଚଳରେ ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରଶ୍ନ ଉଠାଇଛି, ଯାହା ସ୍ଥାନୀୟ ପ୍ରଶାସନ ଓ ପୋଲିସ ପାଇଁ ଏକ ଗୁରୁତର ଚିନ୍ତାର ବିଷୟ ହୋଇଛି।