ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଞ୍ଚଳର ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଙ୍ଗଳବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତାଥା ପକସୋ ସ୍ବତନ୍ତ୍ର ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ୨୦୧୮ ମସିହା ଅପ୍ରେଲ ୧୦ ତାରିଖ ଅପରାହ୍ନରେ ଗାଁ ଦାଣ୍ଡରେ ଖେଳୁଥିବା ୮ ବର୍ଷର ନାବାଳିକାଙ୍କୁ ଗାଁର ଭୁବନ ନାଏକ(୬୪) ତାଙ୍କ ଘରକୁ ଡ଼ାକିନେଇ ଦୁଷ୍କର୍ମ କରିଥିଲେ। ନାବାଳିକା କାନ୍ଦିବାରୁ ତାଙ୍କୁ ଶହେ ଟଙ୍କା ଦେଇଥିଲେ। ଏ କଥା କାହାକୁ ନକହିବାକୁ କହିଥିଲେ। ତେବେ ନାବାଳିକା କଷ୍ଟରେ କାନ୍ଦି ସମସ୍ତ ଘଟଣା ତାଙ୍କ ମାଙ୍କ ଆଗରେ କହିଥିଲେ। ଏହା ଜଣାପଡ଼ିବାପରେ ଗାଁରେ ବୈଠକ ହୋଇଥିଲା। ଗାଁର ନିଷ୍ପତ୍ତିକ୍ରମେ ପାଲଲହଡ଼ା ଥାନାରେ ନାବାଳିକାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଥାନା କେସ ନଂ୫୪/୧୮ରେ ଦଫା ୩୬୩, ୩୭୬(୨)(ଏଫ), ୩୭୬(୩), ୫୦୬ ଓ ପକସୋ ଆଇନର ଧାରା ୬ରେ ମାମଲା ରୁଜୁକରି ଘଟଣାର ତଦନ୍ତକରି ଅଭିଯୁକ୍ତ ଭୁବନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ୧୯ ଦସ୍ତାବିଜକୁ ଆଧାରକରି ବିଚାରପତି ଅଗସ୍ତି କୁମାର ସାହୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତକରି ୩୬୩ ଦଫା ପାଇଁ ୩ ବର୍ଷ ସଶ୍ରମକାରାଦଣ୍ଡ ଓ ୩ ହଜାର ଟଙ୍କା ଜୋରିମାନା। ଜୋରିମାନା ଅନାଦେୟ ହେଲେ ୬ ମାସ କାରାଦଣ୍ଡ ଭୋଗିବେ। ଦଫା ୩୭୬(୨)(ଏଫ) ପାଇଁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା। ଜୋରିମାନା ଅନାଦେୟ ହେଲେ ଅଧିକ ଏକ ବଷଁ ସଶ୍ରମ କାରାଦଣ୍ଡ ଭୋଗିବେ। ଦଫା ୩୭୬(୩) ପାଇଁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା। ଜୋରିମାନା ଅନାଦେୟ ହେଲେ ଅଧିକ ୨ ବଷଁ ସଶ୍ରମ କାରାଦଣ୍ଡ ଭୋଗିବେ। ଦଫା ୫୦୬ ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜୋରିମାନା। ଜୋରିମାନା ଅନାଦେୟ ହେଲେ ୬ ମାସ ଅଧିକ କାରାଦଣ୍ଡ ଭୋଗିବେ। ଫକସୋ ଆଇନର ଧାରା ୬ ପାଇଁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦେବେ। ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ମଙ୍ଗଳବାର ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ଏହିମାମଲା ସରକାରୀ ଓକିଲ ସରୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।
1
f600b249-5c54-442c-a949-d6bc81000fab