ଅନୁଗୁଳ: ୪୦ ବର୍ଷ ତଳର ଚକବନ୍ଦୀ ବ୍ୟବସ୍ଥା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଅନୁଗୁଳ ରାଜସ୍ବ ଜିଲ୍ଲାର ୯୨ଟି ମୌଜାର ଚାଷୀ। ଜମି ସମତଳ ତଥା ଜଳସେଚନ ସୁବିଧା କରାନଯାଇ କେବଳ କାଗଜକଲମରେ ଚକବନ୍ଦୀର କାର୍ଯ୍ୟକାରିତା ଦର୍ଶାଯାଇଥିବାରୁ ଚାଷୀ ଏହାର କୌଣସି ଫାଇଦା ତ ପାଉନାହାନ୍ତି; ପରନ୍ତୁ ଜମି ଖର୍ଦ୍ଦି, ବିକ୍ରି, ଭାଗବଣ୍ଟାରେ ଅସୁବିଧା ଭୋଗୁଛନ୍ତି। ଏହାର ପୁନର୍ବିଚାର କରାଯାଇ ୧୯୫୨-୬୨ ବନ୍ଦୋବସ୍ତ ଅନୁଯାୟୀ ସାନି ସରଜମିନ୍ ତଦନ୍ତ, ଚକବନ୍ଦୀ ଉଚ୍ଛେଦ କରାଯାଇ ଜମି ବନ୍ଦୋବସ୍ତ ଦ୍ବାରା ପ୍ରଜାମାନଙ୍କୁ ପଟ୍ଟା ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ମର୍ମରେ ଶତାଧିକ ଚକବନ୍ଦୀ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। ୧୯୭୨-୭୩ ଚକବନ୍ଦୀ ଆଇନ୍ ଅନୁସାରେ ଜମିଜମା ସମ୍ବନ୍ଧୀୟ ଖତିୟାନ୍ ପରୀକ୍ଷାମୂଳକ ଭାବେ ପ୍ରସ୍ତୁତ କରାଯାଇ ୧୯୮୧-୮୨ ମସିହାରେ କାଗଜକଲମରେ କାର୍ଯ୍ୟକାରିତା ଦର୍ଶାଯାଇଛି। କୌଣସି ପ୍ରଜାଙ୍କୁ ଚକ ଚିହ୍ନଟ ଦିଆଯାଇନାହିଁ। ଜମି ଅସମତଳ, ପାହାଡ଼ିଆ, ପୁଣି ଜଳସେଚନନର ସୁବିଧା ନଥିବାରୁ ଏହା ଚକ ଉପଯୋଗୀ ହୋଇନଥିଲେ ହେଁ ଜୋର୍ କରି ପ୍ରଜାଙ୍କ ଉପରେ ଏହି ବ୍ୟବସ୍ଥା ଲଦି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଚକବନ୍ଦୀ କର୍ମଚାରୀ ମନଇଚ୍ଛା ଜମିଗୁଡ଼ିକର ମୂଲ୍ୟାୟନ କରିଛନ୍ତି, ଯେଉଁଥିରେ ନିରପେକ୍ଷତା ଅବଲମ୍ବନ କରାଯାଇ ନାହିଁ। ଏହି ସମସ୍ୟା ଯୋଗୁଁ ଆବଶ୍ୟକସ୍ଥଳେ ଜମି ଖରଦି, ବିକ୍ରି ହୋଇପାରୁନାହିଁ। ଅ˚ଶୀଦାରଙ୍କ ମଧ୍ୟରେ ଭାଗବଣ୍ଟା ହୋଇପାରୁନି। ବାସିନ୍ଦା, ଜାତି, ଆୟ, ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ପ୍ରଜା ହନ୍ତସନ୍ତ ହେଉଛନ୍ତି। ଚକ ହୋଇଥିବା ଜମିର ମୂଲ୍ୟ କମ୍ ଥିବାବେଳେ ପଡେ଼ାଶୀ ମୌଜାର ଚକ ହୋଇନଥିବା ସମାନ କିସମ ଜମିର ମୂଲ୍ୟ ଯଥେଷ୍ଟ ଅଧିକ ହୋଇଛି। ଭୂ-ଅର୍ଜନ ସମୟରେ କ୍ଷତିଗ୍ରସ୍ତ ପ୍ରଜା ଉପଯୁକ୍ତ କ୍ଷତିପୂରଣରୁ ବ˚ଚିତ ହୋଇଛନ୍ତି। ଜମି ହରାଇମଧ୍ଯ ନା ମିଳୁଛି କ୍ଷତିପୂରଣ, ନା କର୍ମସ˚ସ୍ଥାନ। ପରିସ୍ଥିତି ଏପରି ଯେ ତଇଳା କିସମର ମୂଲ୍ୟ ଶାରଦ ଜମିଠାରୁ ଢେର ଅଧିକ। କିସମ ପରିବର୍ତ୍ତନ ପାଇଁ ଦରଖାସ୍ତ କଲେ ତାହା ହୋଇପାରୁନାହିଁ। ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଥିବା ମୌଜା ଚକ ନହୋଇ ୯୨ଟି ମୌଜାରେ ଅଣଜଳସେଚିତ ଓ ଅଳ୍ପ ଜଳସେଚିତ ଜମିରେ ଚକ ହୋଇଛି। ତେବେ ପରୀକ୍ଷାମୂଳକ ଭାବରେ ବାସ୍ତବତାକୁ ଅନୁଧ୍ୟାନ ନକରି କେବଳ କାଗଜକଲମରେ ଏହି ବ୍ୟବସ୍ଥା କରାଯାଇଥିବାରୁ ୪୦ ବର୍ଷ ଧରି ପ୍ରଜା ନାନା ସମସ୍ୟାରେ ପଡ଼ିଛନ୍ତି
ଚାଷୀଙ୍କ ସମସ୍ୟା ବଢ଼ାଇଛି ‘ଚକବନ୍ଦୀ’
- Post published:January 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray

Tags: Angul