ଅନୁଗୁଳ: ବନ୍ତଳା ଅଞ୍ଚଳରେ ମାସ ମାସ ଧରି ଆତଙ୍କ ଖେଳାଇଥିବା ଏକ ଦନ୍ତାହାତୀକୁ ଆଜି ବନ ବିଭାଗ କାବୁ କରିଛି। ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ସ୍ୱତନ୍ତ୍ର ଗାଡି ‘ଐରାବତ’ରେ ଶିମିଳିପାଳ ଅଭୟାରଣ୍ୟକୁ ସ୍ଥାନ୍ତର କରାଯାଇଛି।
ଅନୁଗୁଳ ବନଖଣ୍ଡ କରତପଟା ସେକ୍ସନ ଅନ୍ତର୍ଗତ କୁସୁମପାଟ ଗାଁ ନିକଟରୁ ଆଜି ସକାଳେ ଏହି ଅପରେସନ କରାଯାଇଥିଲା। ଅନୁଗୁଳ ଡିଏଫଓ, ଏସିଏଫ୍ ଏବଂ ଚାରିଜଣିଆ ପଶୁ ଡାକ୍ତରୀ ଦଳଙ୍କ ଉପସ୍ଥିତିରେ ହାତୀଟିକୁ ସୁରକ୍ଷିତ ଭାବେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ପରେ କଡା ସୁରକ୍ଷା ମଧ୍ୟରେ ତାକୁ ଶିମିଳିପାଳ ପଠାଯାଇଛି।
ସୂଚନାଯୋଗ୍ୟ, ବନ୍ତଳା ଅଞ୍ଚଳରେ ଏକ ହାତୀପଲ ବିଚରଣ କରୁଥିଲା। ଏହି ପଲରୁ ଅଲଗା ହୋଇ ଏହି ଦନ୍ତାଟି ବାରମ୍ବାର ଜନବସତିକୁ ପଶି ଧନଜୀବନ କ୍ଷତି କରୁଥିଲା। ଗତକାଲି ଏହା ନନ୍ଦପୁର ଗାଁରେ ପଶି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। ଲଗାତାର ଅଭିଯୋଗ ପରେ ବନ ବିଭାଗ ଏହି ପଦକ୍ଷେପ ନେଇଛି।
ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ହାତୀଟିକୁ ଶିମିଳିପାଳର ଗଭୀର ଜଙ୍ଗଲରେ ଛଡାଯିବ। ଯାହାଦ୍ୱାରା ଏହି ଦନ୍ତା ଯେପରି ପୁଣି ଜନବସତିକୁ ଫେରି ନଆସେ।











