ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଘାଣ୍ଟିଆନାଳୀ ଗ୍ରାମରେ ତୀବ୍ର ବିଦ୍ୟୁତ ସମସ୍ୟାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମର ୬୩ କେଭିଏ ଟ୍ରାନ୍ସଫର୍ମର ପୋଡ଼ିଯିବା ଏବଂ ଦୀର୍ଘଦିନର ଲୋ ଭୋଲଟେଜ ସମସ୍ୟା ଯୋଗୁଁ ପ୍ରବଳ ଗ୍ରୀଷ୍ମ ପ୍ରକୋପରେ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଥିଲେ। ଏହାର ସ୍ଥାୟୀ ସମାଧାନ ଦାବିରେ ମଙ୍ଗଳବାର ଗ୍ରାମବାସୀ କଣିହାଁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଘଣ୍ଟା କାଳ ବିକ୍ଷୋଭ ଓ ଧାରଣା ଦେଇଥିଲେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟୁତ ବିଭାଗର ଯନ୍ତ୍ରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଏକ ନୂତନ ୬୩ କେଭିଏ ଟ୍ରାନ୍ସଫର୍ମର ସ୍ଥାପନ ସହ ଆଗାମୀ ଦିନରେ ଏହାକୁ ୧୦୦ କେଭିଏକୁ ବୃଦ୍ଧି କରାଯିବ ବୋଲି ସେ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହି ବିକ୍ଷୋଭରେ ସୁଶାନ୍ତ ପ୍ରଧାନ, ଫକୀର ଦେହୁରୀ, ଗଣେଶ୍ୱର ପ୍ରଧାନ, ବାବର ପ୍ରଧାନ, ସୁଦର୍ଶନ ପ୍ରଧାନ ଓ ବିଜୟ ସାହୁଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ।











