ଅନୁଗୁଳ: ଅନୁଗୁଳ ପୌରପାଳିକାର ୧୩ ନମ୍ଵର ୱାର୍ଡସ୍ଥିତ ଶିଳ୍ପାଞ୍ଚଳ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଶିଳାନ୍ୟାସ କରିବାକୁ ଆସିଥିବା ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କୁ ବସ୍ତି ବାସିନ୍ଦା ବିରୋଧ କରିଛନ୍ତି।
ସୂଚନା ଅନୁଯାୟୀ, ଅନୁଗୁଳ ପୌରପାଳିକାର ୧୩ ନମ୍ଵର୍ ୱାର୍ଡରେ ବସବାସ କରୁଥିବା ବସ୍ତି ବାସିନ୍ଦା ରାସ୍ତା ସମ୍ପ୍ରସାରଣ ହେତୁ ବାସଚ୍ୟୁତ ହେବାର ଆଶଙ୍କାରେ ବିଧାୟକଙ୍କୁ ତାଙ୍କ ବାସଭବନରେ ଭେଟି ଅଭିଯୋଗ କରିଥିଲେ। କିନ୍ତୁ ସେତେବେଳେ ସେ କହିଥିଲେ ଯେ ୧୩ ନମ୍ବର ୱାର୍ଡରେ ଆମ ଦଳ ଭୋଟ ପାଇନି। ସେ ୱାର୍ଡକୁ ମୁଁ ଜାଣିନି। ଏ ବିଷୟରେ କିଛି କରି ପାରିବିନି, ତେଣୁ ଚାଲିଯାଅ କହି ଦୁର୍ବ୍ୟବହାର କରିଥିଲେ।
କିନ୍ତୁ ଆଜି ୧୩ ନମ୍ବର ୱାର୍ଡରେ ଥିବା ଶିଳ୍ପାଞ୍ଚଳ ବିଦ୍ୟାଳୟକୁ ଶିଳାନ୍ୟାସ କରିବାକୁ ଆସିଥିବା ବେଳେ ଲୋକେ ତାଙ୍କୁ ବିରୋଧ କରିଥିଲେ। ତମେ ତ ୧୩ ନମ୍ଵର୍ ୱାର୍ଡ ଜାଣିନ, କୁଆଡ଼େ ଆସିଛ ବୋଲି ସ୍ଥାନୀୟ ବସ୍ତି ବାସିନ୍ଦା ବିଧାୟକଙ୍କୁ ପ୍ରଶ୍ନ କରିବା ସହ ବିରୋଧ କରିଥିଲେ। ଫଳରେ ଘଟଣାସ୍ଥଳରେ ଅପ୍ରୀତିକର ସ୍ଥିତି ଉପୁଜିଥିଲା।
ହଟହଟା ହେଲେ ଉପବାଚସ୍ପତି! ଶିଳାନ୍ୟାସ ପାଇଁ ଆସିଥିବା ରଜନୀକାନ୍ତ ସିଂଙ୍କୁ ବସ୍ତି ବାସିନ୍ଦାଙ୍କ ବିରୋଧ
