ତାଳଚେର ସାର କାରଖାନାରେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

You are currently viewing ତାଳଚେର ସାର କାରଖାନାରେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ତାଳଚେରସ୍ଥିତ ତାଳଚେର ଫର୍ଟିଲାନଇଜର ଲିମିଟେଡ୍(ଟିଏଫଏଲ୍) ପ୍ଲାଣ୍ଟକୁ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ବୁଲି ଦେଖିବା ସହ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।

ଆସନ୍ତା ୨୦୨୪ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ଏହି ପ୍ରକଳ୍ପର ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲାବେଳେ ଏହି ପ୍ରତିନିଧି ମଣ୍ଡଳୀ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି। ଏହା ସହିତ ପ୍ରକଳ୍ପ ନିର୍ମାଣ ନିମନ୍ତେ ଆବଶ୍ୟକ ଉପକରଣ, ବୈଷୟିକ ସହାୟତା ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

ତାଳଚେରରେ ଥିବା ପୁରୁଣା ଏଫସିଆଇ ପ୍ଲାଣ୍ଟର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏକ ଯୌଥ ଉଦ୍ୟୋଗରେ ଟିଏଫଏଲ୍ ଗଠନ କରାଯାଇ ଏହି ପ୍ରକଳ୍ପ କାମ ଚାଲିଛି। ଏହି ପ୍ରକଳ୍ପ ଦେଶର ପ୍ରଥମ କୋଇଲା ଭିତ୍ତିକ ଓ ଗ୍ୟାସ ଆଧାରିତ ସାର କାରଖାନା। ଦେଶର ୟୁରିଆ ଆବଶ୍ୟକତା ପୂରଣ କରିବା ପାଇଁ କେନ୍ଦ୍ର ସରକାର ଏହି ପ୍ରକଳ୍ପ ଉପରେ ଗୁରୁତ୍ବ ଦେଇଥିଲାବେଳେ ଏହାର ୨୮ ପ୍ରତିଶତ କାମ ଶେଷ ହେଲାଣି। ଏବେ ବିଭିନ୍ନ ଯନ୍ତ୍ରପାତି କାରଖାନାରେ ପହଞ୍ଚୁଥିଲାବେଳେ ଏହାକୁ ଲଗାଇବା ପୂର୍ବରୁ ଏହି ପ୍ରତିନିଧିମଣ୍ଡଳୀ କାରଖାନା ପରିଦର୍ଶନରେ ଆସିଛନ୍ତି।

ଏହି ପ୍ରତିନିଧି ଦଳରେ ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର(ଆରସିଏଫ୍) ସିଏମଡି ଏସ.ସି. ମୁଦଗେରିକର, ପିଡିଆଇଏଲର ସିଏମଡି ଅପର୍ଣ୍ଣା ଏସ. ଶର୍ମା, ଆରସିଏଫର ବରିଷ୍ଠ ଅଧିକାରୀ ଏନ.ଜେ. ଶେଖ, ଏମ.ଏମ. ଦେଓ, ଏସ.ବି. ଗାୱଡେ, କୋଲ ଇଣ୍ଡିଆର ନିର୍ଦେଶକ ଡ. ଏ.କେ. ସାମନ୍ତରାୟ, ଟିଏଫଏଲର ପରିଚାଳନା ନିର୍ଦ୍ଦେଶକ ଏସ.ଏନ. ଯାଦବ ଓ ଟିଏଫଏଲର ବରିଷ୍ଠ ଅଧିକାରୀ ସଂଜୟ ଆରୋରା ପ୍ରମୁଖ ରହିଛନ୍ତି।

ଏହି ଅଧିକାରୀମାନେ ପ୍ରକଳ୍ପ ପରିଦର୍ଶନ କରିବା ସହିତ ବିଭିନ୍ନ ବିଭାଗକୁ ଯାଇ ଅଗ୍ରଗତି ନେଇ ପଚାରି ବୁଝିଥିଲେ। କୋଲ ଗ୍ୟାସିଫିକେସନ, ଆମୋନିଆ ୟୁରିଆ, ଷ୍ଟିମ୍ ଜେନେରେସନ, କୁଲିଙ୍ଗ ଟାୱାର, ଆମୋନିଆ ଷ୍ଟୋରେଜ, ରେଳ ଲାଇନ, ପାଣି ପାଇପ ଲାଇନ ଓ ପମ୍ପ ହାଉସ ପ୍ରଭୂତି ଅଞ୍ଚଳ ବୁଲି ଦେଖିଥିଲେ। ପ୍ରକଳ୍ପର ମହାପ୍ରବନ୍ଧକ ସତ୍ୟବ୍ରତ ମିଶ୍ର ଅଧିକାରୀଙ୍କୁ କାମ ଅଗ୍ରଗତି ନେଇ ଅବଗତ କରାଇଥିଲେ।

ଠିକଣା ସମୟରେ କାମ ଶେଷ କରିବା ସହ ସାର ଉତ୍ପାଦନ ଉପରେ ସରକାର ଗୁରୁତ୍ବ ଦେଉଥିଲାବେଳେ ଅଧିକାରୀମାନେ ଏହାର ତଦାରଖ କରିଛନ୍ତି।

Share

Leave a Reply