ତାଳଚେରରେ ମା’ ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା ସମାପନ: ଲକ୍ଷାଧିକ ଭକ୍ତଙ୍କ ସମାଗମ

You are currently viewing ତାଳଚେରରେ ମା’ ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା ସମାପନ: ଲକ୍ଷାଧିକ ଭକ୍ତଙ୍କ ସମାଗମ

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଶୀତୁଳା ଯାତ୍ରା ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମା’ଙ୍କର ଏହି ଅନନ୍ୟ ଯାତ୍ରା ଦର୍ଶନ କରିବା ପାଇଁ ଅନୁଗୁଳ ଜିଲ୍ଲା ତଥା ଆଖପାଖ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଯାତ୍ରାର ବିଧି ଅନୁଯାୟୀ, ଅପରାହ୍ନରେ ମା’ ହିଙ୍ଗୁଳା ଓ କୁଟେଇଶୁଣୀଙ୍କ ଚଳନ୍ତି ପ୍ରତିମା ଆଲମଦ୍ୱୟକୁ ଦିଅଁଘରୁ ବଡ଼ମଣ୍ଡପ ବା ମୁଖ୍ୟ ମନ୍ଦିରକୁ ଅଣାଯାଇଥିଲା। ସେଠାରେ ମୁଖ୍ୟ ଦେହୁରୀ କିଶୋର ଚନ୍ଦ୍ର ଦେହୁରୀ ଷୋଡ଼ଶ ଉପଚାର ବିଧିରେ ପୂଜାର୍ଚ୍ଚନା କରିଥିଲେ। ପୀଠ ପରିସରରେ ଥିବା ମା’ ହିଙ୍ଗୁଳା, ମା’ କରଡ଼େଇ, କୁଟେଇଶୁଣୀ, ଖୁମ୍ବେଶ୍ୱରୀ ଓ କଳାପାଟଙ୍କର ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପାଦିତ ହୋଇଥିଲା।

ସନ୍ଧ୍ୟା ସମୟରେ ମା’ଙ୍କ ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ ଉଭାସ୍ଥଳୀକୁ ନିଆଯାଇଥିଲା। ସେଠାରେ ପାରମ୍ପରିକ ରୀତିରେ ମା’ ଅଗ୍ନିରୂପାଙ୍କୁ ଉଖୁଡ଼ା, ଗୁଡ଼, ଘିଅ, ମହୁ ଓ ନୈବେଦ୍ୟ ଅର୍ପଣ କରାଯିବା ସହ ଶୀତୁଳା ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ତାଳଚେର ରାଜା ସପରିବାର ଉପସ୍ଥିତ ରହି ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ। ଶେଷରେ ଉଭାସ୍ଥଳୀରେ ଚାନ୍ଦୁଆ ଲାଗି କରାଯାଇ ମା’ଙ୍କ ଆଲାମକୁ ପୁନର୍ବାର ବଡ଼ମଣ୍ଡପକୁ ବିଜେ କରାଯାଇଥିଲା ଏବଂ ଅଧରପଣା ନୀତି ସହ ଯାତ୍ରାର ସମାପ୍ତି ଘଟିଥିଲା।

Share

Leave a Reply