ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ରେଙ୍ଗାଳି ପ୍ରକଳ୍ପ ଓସିସି କଲୋନି ନିକଟସ୍ଥ ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ପ୍ରତିଷ୍ଠିତ ମା’ ସନ୍ତୋଷୀଙ୍କ ଜନ୍ମ ଉତ୍ସବ ରବିବାର କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ମନ୍ଦିରରେ ମାଙ୍କ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସର୍ବସାଧାରଣ ଦର୍ଶନ ନୀତି ଅନୁଷ୍ଠିତ ହୋଇଥିଲା। ୩୨ତମ ଜନ୍ମ ଉତ୍ସବ ପାଳନ ଅବସରରେ ମନ୍ଦିରର ମୁଖ୍ୟ ସେବକ ଆକୁଳ ପଣ୍ଡା ଭକ୍ତଙ୍କ ପ୍ରଦତ୍ତ ଦାନରେ ଦୁଇ ଶହରୁ ଅଧିକ ଗରିବ, ଅସହାୟ ଓ ଛୋଟ ପିଲାଙ୍କୁ ବସ୍ତ୍ର ଓ ଛତା ଦାନ କରିଥିଲେ । ଜିଲ୍ଲାର ବିଭିନ୍ନ ପୀଠର ଦେବାଦେବୀଙ୍କ ସହ ତାଳଚେରର ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କୁ ମନ୍ଦିରକୁ ନିମନ୍ତ୍ରଣ କରି ଅଣାଯାଇଥିଲା। ପୂର୍ବାହ୍ନ ୧୦ଟାରେ ମନ୍ଦିରର ପୂଜକ ଅନନ୍ତ ଚରଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ପ୍ରସନ୍ନ କୁମାର ପଣ୍ଡା ଓ ତାଙ୍କ ସହଧର୍ମିଣୀ ସଂଯୁକ୍ତା ପଣ୍ଡା କର୍ତାଭାବେ ଦାୟିତ୍ବ ନିର୍ବାହ କରିଥିଲେ । ମଧ୍ୟାହ୍ନରେ ପୁଷ୍ପାଞ୍ଜଳି ଅର୍ପଣ ପରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ପ୍ରଦାନ କରାଯାଇଥିଲା। ଆଖଣ୍ଡଳମଣି ଓ ମା’ ସନ୍ତୋଷୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ରେଙ୍ଗାଳିରେ ମା’ ସନ୍ତୋଷୀଙ୍କ ଜନ୍ମଉତ୍ସବ
- Post published:August 23, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
