ଆଠମଲ୍ଲିକ: ଆଠମଲ୍ଲିକ ସହର ୬୨ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଭାରତ ପେଟ୍ରୋଲିୟମ କମ୍ପାନୀର ପେଟ୍ରୋଲ ପମ୍ପରେ ଗତ ବୁଧବାର ରାତିରେ ଡକାୟତି ଯୋଜନା ଫସର ଫାଟିଛି। ରାତି ପ୍ରାୟ ୧୧ ଟା ସମୟରେ ଡକାୟତମାନେ କାରରେ ତେଲ ପକାଇବା ବାହାନାରେ ପେଟ୍ରୋଲ ପମ୍ପରେ ପଶିଥିବା ଆଠମଲ୍ଲିକ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ସବୁଦିନ ଭଳି ବୁଧବାର ରାତି ୧୦ଟାରେ ପେଟ୍ରୋଲ ପମ୍ପର ୨ ପ୍ରବେଶ ପଥରେ ଥିବା ଗେଟରେ ତାଲା ପକାଇ କର୍ମଚାରୀମାନେ ବିଶ୍ରାମ ନେବାକୁ ଯାଉଥିବା ବେଳେ ଏକ କାର ଆସିଥିଲା। କାରରୁ ପ୍ରଥମେ ୨ଜଣ କାନ୍ଥ ଡେଇଁ ପେଟ୍ରୋଲ ପମ୍ପ ଭିତରେ ପଶିଥିଲେ ଓ ଅଫିସ ପାଖରେ ପହଞ୍ଚି ଗାଡ଼ିରେ ତେଲ ପକାଇବାକୁ କହିଥିଲେ। ୧୦ ଟାରେ ପମ୍ପ ବନ୍ଦ ହେବା ସହ ମାଲିକ ଚାବି ନେଇ ଘରକୁ ଗଲେଣି ବୋଲି ପମ୍ପ ପରିଚାଳକ ପୂର୍ଣ୍ଣଚନ୍ଦ୍ର ରାଉଳ ସେମାନଙ୍କୁ କହିଥିଲେ। ସେଥିରେ ଉତକ୍ଷିପ୍ତ ହୋଇ ଉକ୍ତ ୨ ବ୍ୟକ୍ତି ବାହାରେ କାରରେ ଥିବା ଅନ୍ୟ ସହଯୋଗୀଙ୍କୁ ଡାକିଥିଲେ। ସେମାନେ ୫/୬ ଜଣ ହୋଇ ଅଫିସ ଭିତରେ ପଶି ଟଙ୍କା ଛଡାଇ ନେବାକୁ ଚେଷ୍ଟା କରିଥିଲେ। ପମ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ପମ୍ପ ପରିଚାଳକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ କାରରୁ ବନ୍ଧୁକ, ଖଣ୍ଡାଭୁଜାଲି ଆଣି କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ ଉଦ୍ୟମ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣକୁ କାବୁ କରିଥିବା ଜଣାଯାଇଛି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି।
ତେଲ ପକାଇବା ବାହାନାରେ ଲୁଟିବାକୁ ଆସିଥିଲେ ପେଟ୍ରୋଲ ପମ୍ପ, ମାଡ଼ି ବସିଲା ପୋଲିସ
