ଅନୁଗୁଳ: ଅନୁଗୁଳ ଜିଲ୍ଲାର ଶହେରୁ ଊର୍ଦ୍ଧ୍ବ କାର୍ଯ୍ୟରତ ସାମ୍ୱାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ହୋଇଥିବାରୁ ସୋମବାର ବିକ୍ଷୋଭ କରିଛନ୍ତି। ପ୍ରତି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା କାର୍ଡର ବ୍ୟବସ୍ଥା କରୁଥିବା ବେଳେ ଚଳିତ ବର୍ଷ ଜିଲ୍ଲାରେ ଶହେରୁ ଊର୍ଦ୍ଧ୍ବ କାର୍ଯ୍ୟରତ ସାମ୍ୱାଦିକ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଲୋକାଭିମୁଖୀ ଯୋଜନାକୁ ଜିଲ୍ଲା ପ୍ରଶାସନ ଯେଉଁ ଭଳି ଭାବେ କବର ଦେବାକୁ ଚେଷ୍ଟା କରୁଛି ତାକୁ ନେଇ ସାରା ଜିଲ୍ଲାରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ସାମ୍ବାଦିକ ମାନେ ପ୍ରତିବାଦ ସହ ଦାବୀ ପତ୍ର ପ୍ରଦାନ କରିଥିଲେ। ତେବେ ସୋମବାର ଜିଲ୍ଲା ସଦର ମହକୁମାରେ ବ୍ଲକର ସମସ୍ତ ସାମ୍ବାଦିକ ଏକାଠି ହୋଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଧିକାର ସଭା କରିଥିଲେ।ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି ସାମ୍ବାଦିକ ମାନେ ନାରାବାଜି କରିବା ସହ ତୁରନ୍ତ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଜୀବନ ବୀମା ଅନ୍ତର୍ଭୁକ୍ତ କରିବାକୁ ଦାବୀ କରିଥିଲେ। ଏହା ପରେ ସାମ୍ବାଦିକ ମାନଙ୍କ ଏକ ୫ ଜଣିଆ ପ୍ରତିନିଧିଦଳ ଜିଲ୍ଲାପାଳଙ୍କସହ ଏନେଇ ଆଲୋଚନା କରିଥିଲେ। ଏହି ଘଟଣାକୁ ତୁରନ୍ତ ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ଦାୟୀତ୍ଵ ପ୍ରଦାନ କରାଯାଇଛି। ପୁନର୍ବାର ଅଧିକୃତ ସମସ୍ତ ଗରମାଧ୍ୟମ ସଂସ୍ଥାଙ୍କୁ ପୁର୍ନବାର ପତ୍ର ମାଧ୍ୟମରେ ସେମାନଙ୍କର ଖବରଦାତାମାନଙ୍କର ସବିଶେଷ ତଥ୍ୟ ମଗାଯାଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ତେବେ ଯଦି ଜିଲ୍ଲା ପ୍ରଶାସନ ଏ ସମସ୍ୟା ନେଇ ଆଗାମୀ ଦିନରେ ଦୋମୁଁହ ନୀତି ଅବଲମ୍ବନ କରେ ତେବେ ସାରା ଜିଲ୍ଲାକୁ ଅଚଳ କରିବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଜିଲ୍ଲା ପ୍ରଶାସନର କୌଣସି କାର୍ଯ୍ୟକ୍ରମକୁ ସହଯୋଗ କରାଯିବ ନାହିଁ ବୋଲି ଜିଲ୍ଲା ସାମ୍ୱାଦିକ ସମୂହ ଚରମବାଣୀ ଶୁଣାଇଛି।