ଅନୁଗୁଳ: ବଅଁରପାଳ ବ୍ଳକ୍ ତଥା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରେଜାଙ୍ଗ ଗ୍ରାମର ଯୋଗେଶ୍ଵର ଘଡ଼େଇଙ୍କ ଘରେ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଘର କବାଟ ବନ୍ଦ କରିଦିଆ ଯାଇଥିବାରୁ ଝରକା ଭାଙ୍ଗି ବହୁ କଷ୍ଟରେ ପରିବାରର ବାହାରକୁ ଆସିବାରେ ସଫଳ ହୋଇଥିଲେ। ଏ ଘଟଣା ନେଇ ସନ୍ଦେହରେ ୪ ଜଣଙ୍କ ନାମରେ ଯୋଗେଶ୍ୱର ନିଶା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ଯୋଗେଶ୍ଵରଙ୍କ ଅଭିଯୋଗ ଅନୁଯାୟୀ, ରବିବାର ରାତିରେ ଖାଇସାରି ତାଙ୍କର ସ୍ତ୍ରୀ, ଦୁଇ ପୁଅ ସହ ଶୋଇଯାଇଥିଲେ। ରାତି ପ୍ରାୟ ଦୁଇଟା ବେଳେ ତାଙ୍କର ସାନପୁଅ କାନ୍ଦିବାରୁ ସ୍ୱାମୀ-ସ୍ତ୍ରୀ ଉଠିପଡ଼ିଥିଲେ। ସେତିକିବେଳେ ଘର ଭିତର ଧୂଆଁମୟ। କବାଟ ଖୋଲିବାକୁ ଗଲା ବେଳେ ବାହାର ପଟୁ ବନ୍ଦ ଥିବା ଜାଣିବାକୁ ପାଇଥିଲେ। ଫଳରେ ଝରକା ଭାଙ୍ଗି ଦୁଇ ପୁଅ ସହ ଦମ୍ପତି ବାହାରକୁ ବାହାରିଥିଲେ । ବାହାରେ ତାଙ୍କର ମଟର ସାଇକେଲ ବି ଜଳିଯାଇଥିବା ଦେଖିବାକୁ ପାଇଥିଲେ । ଯୋଗେଶ୍ଵରଙ୍କ ପାଟିଶୁଣି ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଜେଏସ୍ପିଏଲ୍ରୁ ଦମକଳ ଗାଡ଼ି ଆସି ନିଆଁ ଲିଭାଇଥିଲା। ପୂର୍ବ ଶତ୍ରୁତାରୁ ତାଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିବା ଯୋଗେଶ୍ଵର ଅଭିଯୋଗରେ ଦର୍ଶାଇଛନ୍ତି।
ଶୋଇଥିବାବେଳେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ
- Post published:July 27, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
