ଅନୁଗୋଳ: ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାରେ ବୃଦ୍ଧିପାଉଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ‘ଜନଜୀବନ ସୁରକ୍ଷା କମିଟି’ ପକ୍ଷରୁ ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡାକ୍ତର ମଦନ ମୋହନ ପ୍ରଧାନଙ୍କୁ ଭେଟି ଏକ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ୍ରେ ପରିଣତ କରିବା, କୁକୁଡ଼ା ଫାର୍ମ ଜାଗା ମେଡିକାଲକୁ ହସ୍ତାନ୍ତର, ଡ୍ରେନେଜ୍ ବ୍ୟବସ୍ଥାର ସୁଧାର, ଆଇସିୟୁ ଓ ବର୍ଣ୍ଣ ୟୁନିଟ୍ ସ୍ଥାପନ ଏବଂ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ପାଇଁ ଦାବି ହୋଇଛି।
ଆଲୋଚନା ସମୟରେ ଆଇସିୟୁ ଓ ଇକୋ ମେସିନ୍ କାର୍ଯ୍ୟକ୍ଷମ ହୋଇଥିବା ଏବଂ ଅନ୍ୟାନ୍ୟ ଦାବିଗୁଡ଼ିକ ପାଇଁ ପ୍ରାଶାସନିକ ସ୍ତରରେ ପଦକ୍ଷେପ ନିଆଯାଉଛି ବୋଲି ସିଡିଏମଓ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଶୀଘ୍ର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କମିଟିର ଅଭିମନ୍ୟୁ ସ୍ୱାଇଁ, ପଠାଣି ବରିହା, ତୀର୍ଥବାସୀ ଭୋଇ, ନିରୋଦ ପାଲ, ତ୍ରିଲୋଚନ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି।











