ଅନୁଗୁଳ: ବିବାହ ହେଉ ଅବା ଶୁଦ୍ଧିକ୍ରିୟା ଅନୁମତି ପାଇଁ ଆଉ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି । ଏଣିକି ଅନଲାଇନ୍ରେ ମିଳିବ ଏହି ସେବା । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ନିତି ନୂଆ ନୂଆ ପଦକ୍ଷେପ ନେଉଥିବା ବେଳେ ବିବାହ ଅନୁମତି କ୍ଷେତ୍ରରେ ଏ ପଦକ୍ଷେପକୁ ଜିଲ୍ଲାବାସୀ ସ୍ବାଗତ କରିଛନ୍ତି। ପୂର୍ବରୁ ବିବାହ ଓ ଶୁଦ୍ଧିକ୍ରିୟା ଅନୁମତି ପାଇଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ତହସିଲ୍ ଅଫିସ୍ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡ଼ିଥିଲା। ସେଠାରେ ଲୋକଙ୍କ ଗହଳି ଦେଖିବାକୁ ମିଳୁଥିଲା। ସରକାରୀ ସେବା ପ୍ରାପ୍ତିରେ ଜିଲ୍ଲା ପ୍ରଶାସନର ଏହି ଡିଜିଟାଇଜେସନ୍ ପରେ ଜିଲ୍ଲାବାସୀଙ୍କୁ ଆଉ ହଇରାଣ ହରକତ ହେବାକୁ ପଡ଼ିବନି। ଏହାକୁ ଏପରି ଭାବେ ଡିଜାଇନ୍ କରାଯାଇଛି ଯେ, ସମସ୍ତ ଆବଶ୍ୟକୀୟ ସୂଚନା ୱେବସାଇଟ୍ ମାଧ୍ୟମରେ ପ୍ରଦାନ କରାଯାଇପାରିବ । ବିବାହ ପାଇଁ ବରର ସମସ୍ତ ବିବରଣୀ, ପରିଚୟ ପତ୍ର ଓ ଫଟୋଗ୍ରାଫ୍ ଦାଖଲ କରିବାକୁ ହେବ। ଅଧିକାରୀମାନେ ଆବେଦନକାରୀଙ୍କ ଦ୍ବାରା ଦିଆଯାଇଥିବା ବିବରଣୀ ଯାଞ୍ଚ କରିବେ ଓ ସେହି ଅନୁଯାୟୀ ଅନୁମୋଦନ କିମ୍ବା ଅଗ୍ରାହ୍ୟ କରିବେ । ସମାନ ଢଙ୍ଗରେ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ଅନୁମତି ମିଳିବ । କେବଳ ଏତିକି ନୁହଁ କୋଭିଡ୍ ମ୍ୟାନେଜମେଣ୍ଟ ସିଷ୍ଟମ(ସିଏମ୍ଏସ୍)ରେ ଜରୁରିକାଳୀନ ଯାତ୍ରା ପାଇଁ ମଧ୍ୟ ଅନୁମତି ମିଳିବ । ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ରାଜ୍ୟ ସରକାର ପ୍ରଶଂସା କରିଛନ୍ତି। ପୂର୍ବରୁ ଏହି ସିଏମ୍ଏସ୍ କରୋନା ରିପୋର୍ଟ ଉପଲବ୍ଧ ହେଉଛି।
ଏଣିକି ଅନଲାଇନ୍ରେ ବିବାହ ଅନୁମତି
- Post published:June 8, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
