ପଞ୍ଜିକରଣ ସମୟରେ ଆଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ ନୁହେଁ, ନିଶ୍ଚିନ୍ତ ହୁଅନ୍ତୁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

You are currently viewing ପଞ୍ଜିକରଣ ସମୟରେ ଆଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ ନୁହେଁ, ନିଶ୍ଚିନ୍ତ ହୁଅନ୍ତୁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ରାଜ୍ୟରେ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ‘ଆଗ୍ରିଷ୍ଟାକ୍’ ଆଇଡିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱକୁ ରବିବାର ଦିନ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୂର କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଧାନ ବିକ୍ରି ପାଇଁ ପଞ୍ଜୀକରଣ ସମୟରେ ଆଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ ନୁହେଁ।

ମନ୍ତ୍ରୀ କହିଛନ୍ତି, “ଯେଉଁ ଚାଷୀମାନଙ୍କ ପାଖରେ ଆଗ୍ରିଷ୍ଟାକ୍ ଆଇଡି ନାହିଁ, ସେମାନେ ମଧ୍ୟ ବିନା କୌଣସି ଅସୁବିଧାରେ ସୋସାଇଟିରେ ନାମ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ।” ତେବେ ମଣ୍ଡିରେ ଧାନ ଦେବା ପାଇଁ ଟୋକନ୍ ନେବା ପୂର୍ବରୁ ଏହି ଆଇଡି ଆବଶ୍ୟକ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଯେଉଁମାନଙ୍କ ପାଖରେ ଆଗ୍ରିଷ୍ଟାକ୍ ଆଇଡି ନାହିଁ, ସେମାନେ ପଞ୍ଜୀକରଣ ସମୟରେ ଜମିର ପଟ୍ଟା ବା ରେକର୍ଡ ଅଫ୍ ରାଇଟ୍ସ ଦାଖଲ କଲେ ମାତ୍ର ୨ ଦିନ ମଧ୍ୟରେ ସେମାନଙ୍କୁ ଆଇଡି ଦିଆଯିବ।

ବିଭାଗୀୟ ସୂଚନା ଅନୁଯାୟୀ, ଏବେ ସୁଦ୍ଧା ରାଜ୍ୟରେ ୫,୦୯୩ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିସାରିଛନ୍ତି। ସେମାନଙ୍କ ମଧ୍ୟରୁ ୩,୧୦୮ ଜଣ ନିଜର ଆଗ୍ରିଷ୍ଟାକ୍ ଆଇଡି ଦାଖଲ କରିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, କେବଳ ଜମିର ମାଲିକ ନୁହଁନ୍ତି, ଭାଗ ଚାଷୀମାନେ ମଧ୍ୟ ଆବଶ୍ୟକ କାଗଜପତ୍ର ଦେଇ ସରକାରୀ ଦରରେ ଧାନ ବିକ୍ରି କରିପାରିବେ। ରାଜ୍ୟ ସରକାର ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କଠାରୁ ଧାନ କିଣିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉ କି, ଗତ ଖରିଫ୍ ଋତୁରେ ରାଜ୍ୟ ସରକାର ୭୮ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ରବି ଋତୁରେ ୨୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଥିଲେ।

Share

Leave a Reply