ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମସିଏଲର ବିଭିନ୍ନ କୋଇଲା ଖଣି ପାଇଁ ମଙ୍ଗଳବାର ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି(ଆରପିଡିଏସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ବୈଠକରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡଙ୍ଗୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ଜଗମୋହନ ମୀନା, ଏମସିଏଲର ସିଏମଡି ପ୍ରଭାତ କୁମାର ସିହ୍ନା, ସମ୍ବଲପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ବହୁଦିନର ପୁରୁଣା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରତି ବିସ୍ଥାପିତ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଯୋଗାଇ ଦିଆଯିବ। ପ୍ରଥମ କିସ୍ତିରେ ସେମାଙ୍କୁ ୫ ଲକ୍ଷ ଓ ଗାଁ ଛାଡିଲେ ଅବଶିଷ୍ଟ ୫ ଲକ୍ଷ ଦିଆଯିବ। କୋଇଲା ଉତ୍ତୋଳନ ପରେ ଖାଲି ରହୁଥିବା ସ୍ଥାନକୁ ବାଲି ପକାଇ ଏମସିଏଲ ପୋତିବ। ପ୍ରତି ଏକ ମାସରେ ଏହାର ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବ। ପୂର୍ବ ଆରପିଡିଏସିର ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ବିଳମ୍ବ ଯୋଗୁଁ ରାଜସ୍ବ କମିଶନର ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମ୍ପାନୀ କତ୍ତୃପକ୍ଷ, ଲୋକ ପ୍ରତିନିଧି ଓ ସ୍ଥାନୀୟ ବିସ୍ଥାପିତ ପରିବାରକୁ ନେଇ ଏକ କମିଟି ଗଠନ କରି ଆସନ୍ତା ୪ ମାସ ମଧ୍ୟରେ ନିଷ୍ପତ୍ତିଗୁଡିକୁ କାର୍ଯ୍ୟକାରୀ କରିବାକୁ ସ୍ଥିର କରାଗଲା। ବଲଣ୍ଡା, କୋଚିଆନାଳୀ, ଜାମୁନାଳୀ, ବଉଳପୁର ଓ ପଥରମୁଣ୍ଡାରେ ପ୍ରତିଷ୍ଠା ହୋଇଥିବା ପୁନଃର୍ବାସ ଓ ଥଇଥାନ କଲୋନୀରେ ଆନୁସଂଗିକ ସୁବିଧା ତୁରନ୍ତ ଯୋଗାଇ ଦେଇ ସେଠାକୁ ବିସ୍ଥାପିତମାନଂକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ବ୍ରାହ୍ମଣୀ କୋଲ ଫିଲ୍ଡକୁ ତାଳଚେରକୁ ସ୍ଥାନାନ୍ତର କରି ଏକ କାର୍ଯ୍ୟାଳୟ ସ୍ଥାପନ କରିବାକୁ ପରାମର୍ଶ ଦିଆଗଲା। ହେଁସମୂଳର ବିସ୍ଥାପିତଙ୍କୁ ତୁରନ୍ତ ବଲଣ୍ଡା ଥଇଥାନ ଓ ପୁନଃର୍ବାସ କଲୋନୀକୁ ସ୍ଥାନାନ୍ତର କରିବାକୁ ସ୍ଥିର କରାଗଲା। ବିଭିନ୍ନ ଗ୍ରାମର ବିସ୍ଥାପିତ ପରିବାରର ନିଯୁକ୍ତି ଓ ଥଇଥାନକୁ ନେଇ ଲୋକପ୍ରତିନିଧ ମାନେ ଗରୁତ୍ୱରୋପ କରିଥିଲେ।
ଏମସିଏଲର ଆରପିଡିଏସି ବୈଠକ
- Post published:August 31, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
