ଆଜିଠୁ ୩୬ଟି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ

You are currently viewing ଆଜିଠୁ ୩୬ଟି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ

ଅନୁଗୁଳ: କରୋନା ବିରୁଦ୍ଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। କରୋନାର ଲେଉଟାଣି ସାଙ୍ଗକୁ କଠୋର ହୋଇଛି କଟକଣା। ପୁଣି ଫେରିଛି ରାତ୍ରିକାଳୀନ କର୍ଫ୍ୟୁ। ଶନିବାର ରାତିରୁ ନାଇଟ୍ କର୍ଫ୍ୟୁ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଏଥିପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି କରାଯାଇଛି। ଅନୁଗୁଳ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ରାତି ୯ଟାରୁ ଆରମ୍ଭ ହୋଇ ସକାଳ ୫ଟାରେ ସରିବ। ତେବେ ଅନୁଗୁଳ ସହର ସହ ଜିଲ୍ଲାର ମୋଟ୍ ୩୬ଟି ଅଞ୍ଚଳରେ କଟକଣା ଜାରି ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜରୁରୀ ସେବାରେ ନିୟୋଜିତ ଲୋକଙ୍କ ବ୍ୟତୀତ ଅନ୍ୟ କେହି ବାହାରେ ଯାତାୟାତ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପୌରାଞ୍ଚଳ ସହିତ ତୁରଙ୍ଗ ପଞ୍ଚାୟତ, ସୁସୁଡା ପଞ୍ଚାୟତ, ଖଲାରୀ ପଞ୍ଚାୟତ, ଜରାସିଂହା ପଞ୍ଚାୟତ, କୁମଣ୍ଡ ପଞ୍ଚାୟତ, ଛେଳିଆପଡ଼ା ଛକ, ନୂଆମୌଜା ଛକ, କୁମୁରିସିଂହା ଛକ, ବନ୍ତଳା ଛକ ଓ ବଡ଼କେରା ଛକରେ ନାଇଟ୍ କର୍ଫ୍ୟୁ ଲାଗିବ। ସେହିପରି ବଅଁରପାଳ ଅଞ୍ଚଳର ବଅଁରପାଳ ଛକ, ନାଲ୍‌କୋ ଛକ,ମହୀଧରପୁର ଛକରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି । ଛେଣ୍ଡିପଦାର ଛେଣ୍ଡିପଦା ଛକ, କୋଶଳା ଛକ, ବାଗେଡିଆ ଛକ ଓ ଜରପଡ଼ା ଜଙ୍କସନ୍‌ରେ ରାତ୍ରିକାଳୀନ କଟକଣା ଲାଗିବାକୁ ଥିବା ବେଳେ ତାଳଚେରର ଏଫ୍‌ସିଆଇ ଛକ, ଟିଟିପିଏସ୍ ଥର୍ମାଲ୍ ବଜାର ଓ ହାଟ, କଣିହାଁ ସହରାଞ୍ଚଳ, ବଲହର ଛକ, ହାଟତୋଟା ଛକ, ଶର୍ମା ଛକ, ହାଣ୍ଡିଧୂଆଁ ଛକ, ଏନ୍‌ଟିପିସି ବାଇପାସ୍ ଛକ, ରେଙ୍ଗାଳି ମାର୍କେଟ୍ ଓ ସମଲ ମାର୍କେଟ୍‌ରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଠମଲ୍ଲିକର ଆଠମଲ୍ଲିକ ଏନ୍‌ଏସି ଅଞ୍ଚଳ, ବଇଣ୍ଡା ଜଙ୍କସନ୍, କିଶୋରନଗର, ମାଧପୁର ଜଙ୍କସନ୍ ଓ କିଆକଟା ଜଙ୍କସନ୍‌ରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହେବ । ପାଳଲହଡ଼ା ବ୍ଲକରେ ବାଲିପଶି, ଖମାର ଓ କଣ୍ଟିଆପଶି, କେନ୍ଦୁଝରର ପ୍ରବେଶ ପଥ କନ୍ତଳା ଏଣ୍ଟ୍ରି ପଏଣ୍ଟ୍‌ରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ନାଇଟ୍ କର୍ଫ୍ୟୁ ବେଳେ ସମସ୍ତ ଜରୁରୀକାଳୀନ ସେବା ଓ ମାଲ ପରିବହନ ଜାରି ରହିବ। ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ସେବା, ଏଲପିଜି ଗ୍ୟାସ୍ ବିତରଣ, ଟେଲିକମ, ଫୁଡ଼୍ ଡେଲିଭରୀ ସଂସ୍ଥା, ଆଇଟି କମ୍ପାନୀ, ନିର୍ମାଣ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ସହ ଜଡ଼ିତ କର୍ମଚାରୀମାନେ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ। ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀମାନେ ନାଇଟ୍‌ କର୍ଫ୍ୟୁବେଳେ ଯାତାୟାତ କରିପାରିବେ । ଏମାନଙ୍କ ବ୍ୟତୀତ ଆଉ କେହି ଅଯଥାରେ ରାତିରେ ଘୂରାଫେରା କଲେ ସେମାନଙ୍କ ବିରୁଦ୍ଧରେ ଆଇନତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Share

Leave a Reply