ଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

You are currently viewing ଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

ଅନୁଗୁଳ: ସାମୟିକ ଭାବେ ବଦଳିବ ପାଗ। ଗୁରୁବାର ଓ ଶୁକ୍ରବାର ରାଜ୍ୟର କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ପରେ ରାଜ୍ୟର ଶୀତ ପ୍ରକୋପ ପୁଣି ବଢ଼ିବା ସମ୍ଭାବନା ଅଛି।
ସୋଆ ଜଳବାୟୁ ଓ ପରିବେଶ (ସିଇସି) କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ବାୟୁମଣ୍ତଳର ଉପରିଭାଗରେ ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ଏକ ଟ୍ରଫ୍‌ଲାଇନ୍‌ ଲମ୍ବିଛି। ଏହାସହ ବଙ୍ଗୋପସାଗର ଉପରେ ଗୁରୁଚାପ ଥିବାରୁ ରାଜ୍ୟକୁ ଜଳୀୟବାଷ୍ପ ଆସୁଛି। ଏହା ପ୍ରଭାବରେ ଗୁରୁବାର ରାତି ଓ ଶୁକ୍ରବାର ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହି ବର୍ଷା ଛାଡ଼ିବା ପରେ ରାଜ୍ୟରେ ରାତି ତାପମାତ୍ରା ପୁଣି କମିବ। ଶୀତ ପ୍ରକୋପ ବଢ଼ିବ। ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଟ୍ରଫ୍‌ଲାଇନ୍‌ ସମ୍ଭାବନା ଅଛି। ଏହା ପ୍ରଭାବରେ ବର୍ଷା ହୋଇପାରେ। ଯଦି ଏମିତି ହେବ, ସମ୍ଭାବ୍ୟ ବର୍ଷା ପରେ ପୁଣି ସାମୟିକ ଭାବେ ଶୀତ ବଢ଼ିବ।
ଆଞ୍ଚଳିକ ପାଣିପାଗ ବିଭାଗ କହିଛି, ରାଜ୍ୟରେ ଏବେ ଶୀତ ପ୍ରକୋପ କମିଛି। ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ଅଛି। ଆସନ୍ତାକାଲି (ଗୁରୁବାର) ସକାଳେ ମାଲକାନଗିରି, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ ଏବ˚ ନୟାଗଡ଼ରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି। ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବରରେ ହାଲୁକା ବର୍ଷା ହୋଇପାରେ। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ଶୁକ୍ରବାର ରାତି ଓ ଶନିବାର ସକାଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳରେ ଘନ କୁହୁଡ଼ି ଆଶଙ୍କା ଅଛି। ପରବର୍ତ୍ତୀ ଦୁଇଦିନ ରାଜ୍ୟରେ ଘନ କୁହୁଡ଼ି ରହିବ। ଆସନ୍ତା ୩ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ତା’ପରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରୁ ୩ରୁ ୪ ଡିଗ୍ରୀ କମିବ। ବାକି ଅଞ୍ଚଳରେ ୨ରୁ ୩ ଡିଗ୍ରୀ କମିବ। ଫଳରେ ଶୀତ ସାମାନ୍ୟ ବଢ଼ିବ।

Share

Leave a Reply