ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ର ବାଲିପଟା- ଚନ୍ଦ୍ରପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବା ଦାବିରେ ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ବୁଧବାର ବିକ୍ଷୋଭ କରାଯାଇଛି। ଏଥିସହ ଯୁଦ୍ଧକାଳୀନ ଭିତ୍ତିରେ ସମ୍ଭାବ୍ୟ ମରୁଡ଼ିର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଦାବି କରି ଶତାଧିକ ମହିଳା, ପୁରୁଷ, ଗ୍ରାମ୍ୟ କମିଟି ଓ ଏସୟୁସିଆଇ(କମ୍ୟୁନିଷ୍ଟ)ର ମିଳିତ ସହଯୋଗରେ ସ୍ଥାନୀୟ ବଙ୍ଗଳାଠାରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏସୟୁସିଆଇ(କମ୍ୟୁନିଷ୍ଟ) ଛେଣ୍ଡିପଦା ଆଞ୍ଚଳିକ କମିଟି ସମ୍ପାଦକଙ୍କ ପରିଚାଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଗ୍ରାମ କମିଟିର କିଶୋରୀ ପ୍ରଧାନ, ବୀରବର ମାଝୀଙ୍କ ସମେତ ଯୁବ ନେତା ମାନସ ପାଳ, ଛାତ୍ର ନେତା ନାରାୟଣ ନାୟକ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ସରକାରଙ୍କ ପ୍ରଚାର ସର୍ବସ୍ୱ ଯୋଜନାକୁ ସମାଲୋଚନା କରିବା ସହିତ ରାସ୍ତା ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଗ୍ରାମରେ ଥିବା ଏକମାତ୍ର ବିଦ୍ୟାଳୟକୁ ମଧ୍ୟ ବନ୍ଦ କରାଯାଇଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି। ବାରମ୍ବାର ଶିକ୍ଷା ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଶେଷରେ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଧର ପ୍ରଧାନ, ଗଣେଷ ବେହେରା, ରୁନା ପ୍ରଧାନ, କୁମୁଦିନୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
ପକ୍କା ରାସ୍ତା ନିର୍ମାଣ ଦାବିରେ ଛେଣ୍ଡିପଦା ବ୍ଲକ୍ ସମ୍ମୁଖରେ ବିକ୍ଷୋଭ
- Post published:August 18, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
