ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପାଣି ପମ୍ପ ମରାମତି କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପମ୍ପାସର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ କୁମାର ମିଶ୍ର(୫୨)।
ସୂଚନା ମୁତାବକ, ମୃତ ପ୍ରତାପ ପମ୍ପାସର ପ୍ରାଥମିକ ବିଦ୍ୟାଳୟରେ ଚାକିରି କରନ୍ତି ଓ ତାଙ୍କ ପତ୍ନୀ ସବିତା ଆଚାର୍ଯ୍ୟ ପୋକତୁଙ୍ଗା ଠାରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ଶୁକ୍ରବାର ପ୍ରତାପ ବିଦ୍ୟାଳୟ ଛୁଟି ହେବା ପରେ ପତ୍ନୀଙ୍କୁ ନେବା ପାଇଁ ପୋକତୁଙ୍ଗାରେ ପହଞ୍ଚିଥିଲେ। ବିଦ୍ୟାଳୟର ପାଣି ପମ୍ପ କାମ କରୁନଥିବାରୁ ସବିତା ସ୍ୱାମୀଙ୍କୁ ଦେଖିବାକୁ କହିଥିଲେ। ପ୍ରତାପ ପାଣିପମ୍ପ ସଜାଡ଼ିବା ବେଳେ ବିଦ୍ୟୁତ ଆଘାତ ଲାଗି ଛିଟିକି ପଡ଼ିଥିଲେ। ତାଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ପ୍ରତାପଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସ୍ତ୍ରୀଙ୍କ ସ୍କୁଲର ପାଣି ପମ୍ପ ସଜାଡ଼ିବାକୁ ଆସି ଶିକ୍ଷକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।