ଆଠମଲ୍ଲିକ: ବର୍ତ୍ତମାନର ସ୍ୱାର୍ଥପର ଦୁନିଆରେ ସମସ୍ତେ ନିଜ ଉନ୍ନତି କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ ଜୋର ଜବରଦସ୍ତ ଅନ୍ୟ ସମ୍ପତ୍ତି ବାଡ଼ିକୁ ବି ନିଜ ନାଁରେ କରିବାକୁ ପଛାଉନାହାନ୍ତି। ଏହି ଧନ ସମ୍ପତ୍ତି ପାଇଁ ଲୋଭର ବଶବର୍ତ୍ତୀ ହୋଇ ଏବେ ଯାବତୀୟ ଅପରାଧମାନ ଘଟୁଛି। କିନ୍ତୁ ଏହି ଲୋଭୀ ଦୁନିଆରେ ଏବେ ବି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ଅପେକ୍ଷା ଅନ୍ୟ ପାଇଁ କିଛି କରିବାକୁ ଇଚ୍ଛା କରିଥାନ୍ତି। ସେମିତି ଜଣେ ମହିୟସୀ ମହିଳା ହେଉଛନ୍ତି ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତର ଡମଣୀ କର୍ମୀ (୮୨)। ସ୍ୱାମୀ ଆରପାରିକୁ ଯିବା ପରେ ଡମଣୀ ଏବେ ନିଜର ୨ ଏକର ଜମିକୁ ସ୍କୁଲକୁ ଦାନ କରିଛନ୍ତି।
ସ୍ଥାନୀୟ ପଇଞ୍ଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାର୍କ ନିର୍ମାଣ ପାଇଁ ଡମଣୀ କର୍ମୀ ବୁଧବାର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ୨ ଏକର ଜମି ଦାନ ସୂତ୍ରରେ ପ୍ରଦାନ କରିଛନ୍ତି। ପୂର୍ବରୁ ବି ୧୯୮୪ ମସିହାରେ ସେ ଅଏଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ପାଇଁ ୨ ଏକର ଜମି ପ୍ରଦାନ କରିଥିବା ଜଣାଯାଇଛି। ସେ ସ୍ୱଇଚ୍ଛାରେ କୌଣସି ଚାପର ବଶବର୍ତ୍ତୀ ନହୋଇ ଆଠମଲ୍ଲିକ ଉପନିବନ୍ଧକ କାର୍ଯ୍ୟାଳୟକୁ ଆସି ପଇଞ୍ଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅଏଡା ମୌଜା ୬୩ ନମ୍ବର ଖାତା ପ୍ଲଟ ନମ୍ବର ୮୪୧ ରୁ ୨ ଏକର ଜମି ଦାନ ସୂତ୍ରରେ ସମ୍ପାଦକ ମାଧବ ଚନ୍ଦ୍ର ସାହୁଙ୍କ ନାମରେ ପଞ୍ଜିକରଣ କରିଛନ୍ତି। ଡମଣୀଙ୍କ ଏହି ମହତ କାର୍ଯ୍ୟ ପାଇଁ ଉପନିବନ୍ଧକ ତଥା ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ ତାଙ୍କୁ ମିଠା ଖୁଆଇ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି।