ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ଅନୁଗୁଳ ସହର

You are currently viewing ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ଅନୁଗୁଳ ସହର

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୁଳକୁ ଏକ ଦିନିକିଆ ଗସ୍ତରେ ଅସୁଛନ୍ତି। ଏଥିପାଇଁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଯାଇଛି। ଦିନ ୧୧ଟାରେ ଅନୁଗୁଳ ଷ୍ଟାଡିଅମର ଅସ୍ଥାୟୀ ହେଲି ପ୍ୟାଡରେ ଅବତରଣ କରିବେ। ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ସ୍ବାଗତ ଭାଷଣ ଦେବେ। ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଓ ବିଜ୍ଞାନ ଓ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଭିଭାଷଣ ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ସମ୍ପର୍କିତ ଭିଡିଓପ୍ରଦର୍ଶନ କରାଯିବ।

ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଏସକେୱାଇ କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରିବେ। ଏଥିସହ ଡିଜିଟାଲ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨ ମିନିଟ ଅଭିଭାଷଣ ଦେବେ ମୁଖ୍ୟମନ୍ତ୍ରୀ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ୩୫ ମିନିଟର ଏହି କାର୍ଯ୍ୟକ୍ରମପରେ ସେ ଢ଼େଙ୍କାନାଳ ଜିଲ୍ଲା ଗସ୍ତକରିବେ ବୋଲି ସ୍ଥିର ହୋଇଛି।

ଉଦ୍‌ଘାଟିତ ହେବାକୁ ଥିବା ଅନୁଗୁଳ ହେଲ୍ଥ କରିଡର କାର୍ଯ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାଫଳରେ ଶୁକ୍ରବାର ସନ୍ଧ୍ୟାଠାରୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ଅନୁଗୁଳ ସହର।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୩ ଜଣ ଅତିରିକ୍ତ ଏସ୍‌ପି, ୭ ଜଣ ଡିଏସ୍‌ପି, ୨୨ ଇନିସପେକ୍ଟର, ୩୧ ସବଇନିସପେକ୍ଟର, ୫୭ ଏଏସ୍‌ଆଇ, ୭୮ କନେଷ୍ଟବଲ, ୧୨୯ ହୋମଗାର୍ଡ ଓ ୨୬ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ ବୋଲି ଏସ୍‌ପି ଜଗମୋହନ ମୀନା ପ୍ରକାଶ କରିଛନ୍ତି।

Share

Leave a Reply