ବ୍ରିଜ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ପୋଲିସର ଖୁଲାସା: ବେପାରରୁ ଶତ୍ରୁତା ପରେ ହତ୍ୟା, ୩ ଗିରଫ

You are currently viewing ବ୍ରିଜ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ପୋଲିସର ଖୁଲାସା: ବେପାରରୁ ଶତ୍ରୁତା ପରେ ହତ୍ୟା, ୩ ଗିରଫ

ଅନୁଗୁଳ: ବେପାରକୁ ନେଇ ଶତ୍ରୁତା। ଆଉ ତା’ ପରେ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା। ଅନୁଗୁଳ ସଦର ଥାନା ପୋଲିସ ଖମାର ନିକଟରେ ନିର୍ମାଣାଧୀନ ଓଭର ବ୍ରିଜ ତଳୁ ଗତ ୧୪ ତାରିଖ ମୃତ ଦେହ ଉଦ୍ଧାର କରିବା ପରେ ତଦନ୍ତ ବେଳେ ଏହି ଖୁଲାସା କରିଛି। ଏଥିସହ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି।

ସୂଚନା ମୁତାବକ, ଗତ ୧୪ ତାରିଖ ଅପରାହ୍ନରେ ଖମାର ନିକଟ ନିର୍ମାଣାଧୀନ ଓଭର ବ୍ରିଜ ତଳେ ଛେଳିଆପଡ଼ା ଗାଁର ଭବାନୀ ଓରଫ ବୁବୁ ଭଞ୍ଜ କ୍ଷତ ବିକ୍ଷତ ମୃତ ଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ଅନୁଗୁଳ ସଦର ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତାଙ୍କ ଦେହର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଥିବା ବେଳେ ତାର ବେକକୁ କୌଣସି ଧାରୁଆ ଅସ୍ତ୍ର ସାହାଯ୍ୟରେ କଟାଯାଇଥିଲା। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ତାକୁ ହତ୍ୟା କରି ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ମୃତ ବୁବୁ ବହୁ ଅସାମାଜିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିବା ସ୍ଥାନୀୟ ଲୋକ କହିଛନ୍ତି।

ଏହି ଘଟଣାର ତଦନ୍ତ କରି ଆଜି ଅନୁଗୁଳ ସଦର ଥାନା ପୋଲିସ ଜଣେ ନାବାଳକ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ମାନେ ହେଲେ ଛେଳିଆପଡ଼ା ଗାଁର କାଠି ନାଏକ (୨୭), ଲାଲ କୃଷ୍ଣ ଆଡ଼ଭାନୀ (୨୦) ଓ ଖମାର ଗାଁର ଜଣେ ୧୬ ବର୍ଷୀୟ ନାବାଳକ। ସେମାନେ ସ୍କ୍ରାପ ବେପାରକୁ ନେଇ ବୁବୁକୁ ହତ୍ୟା କରିଥିବା ପୋଲିସ୍ ଆଗରେ ସ୍ବୀକାର କରିଛନ୍ତି ବୋଲି ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକ ସୂଚନା ଦେଇଛନ୍ତି।

Share

Leave a Reply