ଅନୁଗୋଳ: ତାଳଚେର ବାଲାଜୀ ସୁନା ରିଫାଇନାରୀରେ ଘଟିଥିବା ବଡ଼ଧରଣର ଡକାୟତିର ୧୨ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କରିଛି ପୋଲିସ। ଗତକାଲି ସନ୍ଧ୍ୟାରେ ସଶସ୍ତ୍ର ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୨୩୦ ଗ୍ରାମ ସୁନା, ୬୦ ଗ୍ରାମ ଅଳଙ୍କାର ଓ ୭୦୦ ଗ୍ରାମ ରୁପା ଲୁଟି ଏକ କାରରେ ଫେରାର ହୋଇଥିଲେ।
ସୂଚନା ପାଇ ଅନୁଗୁଳ ପୋଲିସ ତୁରନ୍ତ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ପିଛା କରିଥିଲା। ହଣ୍ଡପା ଜଙ୍ଗଲ ନିକଟରେ ପୋଲିସକୁ ଦେଖି ଡକାୟତମାନେ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୋଲିସର ପାଲଟା ଗୁଳିରେ ମହାରାଷ୍ଟ୍ରର ସଚିନ ଗଜଗେ ଓ ପ୍ରକାଶ ମଦନେ ଆହତ ହୋଇଛନ୍ତି। ସେମାନଙ୍କ ସହ ରାଜେଶ ମଦନେ ଓ ଦେବା ପ୍ରଭାକର ଲୋଖଣ୍ଡେଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ଲୁଟ୍ ସାମଗ୍ରୀ ସହ ଦୁଇଟି ବନ୍ଧୁକ ଓ ଅପରାଧରେ ବ୍ୟବହୃତ କାର୍ ଜବତ ହୋଇଛି। ପଳାତକ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅଭିଯାନ ଜାରି ରହିଛି।











