ନାଲକୋ: ଅନୁଗୁଳ ଜିଲ୍ଲା ନାଲକୋ ସ୍ପନସର୍ଡ ଲ୍ୟାପ ଆଇଟିଆଇ ସଂଘର ସଭ୍ୟଙ୍କ ପକ୍ଷରୁ ନାଲକୋ ଅଧ୍ୟକ୍ଷଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ କରାଯାଇଥିବା ଦାବି ପରିପ୍ରେକ୍ଷୀରେ ଗତ ୧୫ ତାରିଖ ଦିନ ଢେଙ୍କାନାଳ ସାଂସଦ ଓ ଅନୁଗୁଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇ ଆଜି ନିଷ୍ପତ୍ତି ନେବାକୁ କୁହାଯାଇଥିଲା। ଏ ଅବସରରେ ସଙ୍ଘ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ଆଜି ଜିଲ୍ଲାପାଳ, ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଓ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ଭେଟିଥିଲେ। କିନ୍ତୁ ନାଲକୋ ପ୍ରଶାସନ ଜିଲ୍ଲା ପ୍ରଶାସନଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ଦସ୍ତାବିଜ ପ୍ରଦାନ କରି ନାହାନ୍ତି ସେଠାରୁ ଉତ୍ତର ଆସିଥିଲା।
ଏଣୁ ଆଜି ଅପରାହ୍ନରେ ସଂଘର ସମସ୍ତ ସଭ୍ୟ ସ୍ମେଲଟର ଗେଟ ପାଖରେ ନାଲକୋ ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତକୁ ତୀବ୍ର ବିରୋଧ କରିଥିଲେ। ନାଲକୋ ଅଧ୍ୟକ୍ଷ ସଂଘର ଏକ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ସଂଘ ଏହାକୁ ସ୍ୱାଗତ କରିବା ସହ ଢେଙ୍କାନାଳ ସାଂସଦ ପ୍ରତିନିଧି ଗଦାଧର ସାହୁଙ୍କ ନେତୃତ୍ୱରେ ସଂଘର ସଭାପତି ଦିବ୍ୟ ରଞ୍ଜନ ଦାସ, ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲ ଓ ମହିଳା ପ୍ରତିନିଧି ଆରତୀ ନାଏକ ଆଲୋଚନାରେ ଯୋଗ ଦେଇଥିଲେ।
ନାଲକୋର ଅଧ୍ୟକ୍ଷ କହିଥିଲେ, ୧୯ ତାରିଖ ଦିନ ଜିଲ୍ଲା ପ୍ରଶାସନଙ୍କୁ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି ବୋଲି ଅଧ୍ୟକ୍ଷ ଓ ନାଲକୋର କିଛି ଅଧିକାରୀ କହିଥିଲେ। ତେବେ ଜିଲ୍ଲା ପ୍ରଶାସନ ସତ କହୁଛନ୍ତି ନା ନାଲକୋ ପ୍ରଶାସନ ସେ ନେଇ ସନ୍ଦେହ ଦେଖା ଦେଇଛି। ସଂଘର ପରବର୍ତ୍ତୀ ବୈଠକ ପରେ ଆଗକୁ କଣ କରାଯିବ ସଂଘ ନିଷ୍ପତ୍ତି ନେବ ବୋଲି ସାଧାରଣ ସମ୍ପାଦକ କହିଛନ୍ତି।