ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମ ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଗହମ ଗ୍ରାମର ତାରା ସାହୁ (୪୮)।
ସୂଚନା ଅନୁଯାୟୀ, ଘଟଣା ଦିନ ତାରା କୌଣସି କାମରେ ଘର ବାହାରକୁ ଯାଇଥିଲେ। ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହେବାରୁ ସେ ନିକଟସ୍ଥ ଏକ ଆମ୍ବ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଖବର ପାଇ ସ୍ଥାନୀୟ ବାସିନ୍ଦା ଓ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ବଜ୍ରପାତ ସମୟରେ ଗଛ ତଳେ ଆଶ୍ରୟ ନ ନେବାକୁ ସତର୍କ କରାଯାଇଛି।











