ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ୫୫ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଅପରାହ୍ଣ ପ୍ରାୟ ୧୨ଟା ସମୟରେ ଯୋରାଗାଡ଼ିଆ ଗ୍ରୀଡ୍ ସମ୍ମୁଖରେ ଏକ ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ସୂଚନା ମୁତାବକ, ଟ୍ରକଟି ଢେଙ୍କାନାଳରୁ ମାଲ୍ ବୋଝେଇ କରି ଛତିଶଗଡ଼ ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ଚାଳକ ଜଣକ ସୁରକ୍ଷିତ ଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ତୁରନ୍ତ ଟ୍ରକ ଭିତରୁ ଚାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଖବର ପାଇ ବଅଁରପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ରହିଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।











