ଅନୁଗୋଳ: ନିକଟରେ ଅନୁଗୋଳ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୧୨୦ ଜଣ ଶିକ୍ଷକଙ୍କ ବେଆଇନ ଓ ଅନଧିକୃତ ବଦଳି ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପାଖରେ ଅଭିଯୋଗ ପହଞ୍ଚିଛି। ହରିହର ମିଶ୍ର ଓ ଅନ୍ୟମାନେ ଏହି ଅଭିଯୋଗ କରିଥିବା ଜଣାପଡ଼ିଛି। ଏହାର ସମ୍ପୂର୍ଣ୍ଣ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।ଅଭିଯୋଗ ପାଇବା ପରେ ରାଜ୍ୟ ଅତିରିକ୍ତ ଶାସନ ସଚିବ ଗତ ୧୨.୬.୨୬ ଚିଠି ସଂଖ୍ୟା ୧୫୪୬୮ ଯୋଗେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ କରି ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲା ପଦାକୁ ଆସିବା ପରେ ଜିଲ୍ଲା ଶିକ୍ଷା ବିଭାଗରେ ଚାଞ୍ଚଲ୍ୟ ସୃଷ୍ଟି ହେଇଛି। ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି ଏହି ୧୨୦ ଜଣ ଶିକ୍ଷକଙ୍କ ବଦଳିରେ ବିପୁଳ ଅର୍ଥ ସଂଗ୍ରହ କରାଯାଇଛି। ଶିକ୍ଷକ ମାନଙ୍କ ମନ ପସନ୍ଦ ଜାଗାକୁ ବଦଳି କରାଯାଇ ଏହି ଅର୍ଥ ସଂଗ୍ରହ କରାଯାଇଛି। କାର୍ଯ୍ୟାଳୟରେ ‘ବ’, ‘ଭ’ ନାମରେ ପରିଚିତ ଦୁଇ ବରିଷ୍ଠ କର୍ମଚାରୀଙ୍କ ମାଧ୍ୟମରେ ଏହି ଟଙ୍କା ଠୁଳ କରାଯାଇଥିବା ଜୋରଦାର ଚର୍ଚ୍ଚା ହେଉଛି। ତେବେ ସଂଗୃହିତ ପ୍ରାୟ ଦୁଇ କୋଟି ଟଙ୍କାରୁ କାହାର ଭାଗ କେତେ ତାହା ନେଇ ମଧ୍ୟ ବିଭାଗ କରିଡରରେ ବେଶ ରସାଳ ଚର୍ଚ୍ଚା ହେଉଛି।
ଅଧିକାରୀଙ୍କ ଅବସର ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ଏଭଳି ବେଆଇନ ବଦଳି ପଛର ରହସ୍ୟ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଧିକାରୀ କିଛି ମାସ ଆଗରୁ ଏଲଟିଆର ଶିକ୍ଷକ ମାନଙ୍କୁ ସୁବିଧା ଜନକ ସ୍ଥାନରେ ଥଇଥାନ କରିବାକୁ ଯୋଜନାବଦ୍ଧ ଭାବେ ରୋଡମ୍ୟାପ ପ୍ରସ୍ତୁତ କରି ତାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଥିବା ଅନେକ ଅବସରପ୍ରାପ୍ତ ଶିକ୍ଷକ ଅଭିଯୋଗ କରିଛନ୍ତି। ବିବାଦୀୟ ଅଧିକାରୀ ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ଅନୁଗୋଳର ବିଭିନ୍ନ ପଦ ପଦବୀରେ ରହି ବଦନାମ ମୁଣ୍ଡାଇଥିବା ଅନୁଗୋଳରେ ଚର୍ଚ୍ଚା ହେଉଛି।
ଖାଲି ସେତିକି ନୁହେଁ କିଛି ଅନୁଗତ ଶିକ୍ଷକ ଶିକ୍ଷୟିତ୍ରୀ ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଧନା ସମାରୋହକୁ କିଭଳି ଶୀତତାପ ନିୟନ୍ତ୍ରିତ ହଲରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହ ସମ୍ପନ୍ନ ହେବ
କିଏ ଖାସି କଥା ବୁଝିବ,କିଏ ଉପହାର କଥା ବୁଝିବ ସେଥିନେଇ
ଜୋରଦାର ପ୍ରସ୍ତୁତି ମଧ୍ୟ ଆଗେଇ ଚାଲିଛି। ତେବେ ଏହି ବେଆଇନ୍ ମାମଲା ପଦାକୁ ଆସିବା ପରେ ସେମାନଙ୍କ ବ୍ଲଡ ପ୍ରେସର୍ ଏବେ ବଢ଼ି ଯାଇଛି। ତେବେ ଏଥିନେଇ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ ।











